ବିଶ୍ଵ ପରିବେଶ ଦିବସରେ ଆର୍ଯ୍ୟକନ୍ୟା ଗୁରୁକୂଳ ପ୍ରଧାନ ଶିକ୍ଷକଙ୍କୁ ପ୍ରକୃତିବନ୍ଧୁ -୨୦୨୬ ଏବଂ ନେଟଙ୍ଗା ସବୁଜ ବାହିନୀକୁ ପ୍ରକୃତି ମିତ୍ର -୨୦୨୬ ସମ୍ମାନ

ବେଲଗୁଣ୍ଠା,୦୫/୦୬, ପରିବେଶ ସୁରକ୍ଷା କ୍ଷେତ୍ରରେ ବେଲଗୁଣ୍ଠା ବ୍ଲକର ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ଆଜି ବିଶ୍ୱପରିବେଶ ଦିବସ ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଛନ୍ତି। ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ଆର୍ଯ୍ୟକନ୍ୟା ଗୁରୁକୂଳର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ ପରିବେଶ ସୁରକ୍ଷା ଦିଗରେ ନିଜର ନିଷ୍ଠାପର କାର୍ଯ୍ୟ ପାଇଁ ପ୍ରକୃତି ବନ୍ଧୁ -୨୦୨୬ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ନଗଦ ଦଶ ହଜାର ଟଙ୍କାର ଚେକ୍ ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଏହି ଅବସରରେ ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଜେପି ସଭାପତି ସରୋଜ କୁମାର ସାବତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନି ଖୋଖର, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ କମାଣ୍ଡାଣ୍ଟ ସାରଦା ପ୍ରସାଦ ଦାଶ,ଇକୋ କ୍ଲବ୍ ର ଜିଲ୍ଲା ସଂଯୋଜକ ଶଙ୍କର ନାରାୟଣ ବେଜ ପ୍ରମୁଖ ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଗତବର୍ଷ ଶ୍ରୀ ସେଠୀଙ୍କ ତତ୍ତ୍ଵାବଧାନରେ ତନରଡ଼ା ଆର୍ଯ୍ୟକନ୍ୟା ଗୁରୁକୂଳ ପ୍ରକୃତି ମିତ୍ର ସମ୍ମାନ -୨୦୨୫ ରେ ସମ୍ମାନିତ ହୋଇଥିଲା। ସେହିପରି ବ୍ଳକ୍ ର ନେଟଙ୍ଗା ଗ୍ରାମର ସବୁଜ ବାହିନୀ ଅନୁଷ୍ଠାନ ପରିବେଶ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ, ଜନ ସଚେତନତା ଏବଂ ମେଗା ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ପାଇଁ ଚଳିତ ବର୍ଷ ପ୍ରକୃତି ମିତ୍ର -୨୦୨୬ ସମ୍ମାନରେ ସମ୍ମାନିତ ହୋଇଛି। ଏହି ଅବସରରେ ଅନୁଷ୍ଠାନକୁ ସାର୍ଟିଫିକେଟ ସହିତ ନଗଦ ୨୦୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।
ବେଲଗୁଣ୍ଠା ରୁ ଶିବରାମ ଚୌଧୁରୀ ଙ୍କ ରିପୋର୍ଟ



