ଧୂଳିସାତ ହେଲା କୋଟିଏ ଟଙ୍କାର ସେଡ୍: ରାଉରକେଲା ରେଳଷ୍ଟେସନରେ ବଡ଼ ଅଘଟଣ, ୫ ଆହତ, କାର୍-ଅଟୋ ଚୂରମାର
ନିମ୍ନମାନର କାମ ନେଇ ଉଠିଲା ପ୍ରଶ୍ନ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ

ରାଉରକେଲା (୧୦ ଅଗଷ୍ଟ, ୨୦୨୬):ଇସ୍ପାତ ସହର ରାଉରକେଲା ରେଳଷ୍ଟେସନ ପରିସରରେ ଆଜି ସକାଳେ ଏକ ଭୟାବହ ଅଘଟଣ ଘଟିଯାଇଛି। ସହରରେ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ ବାହାରେ ଥିବା ନବନିର୍ମିତ ଭବ୍ୟ ଲୁହା ସେଡ୍ଟି ହଠାତ୍ ଭୁଶୁଡ଼ି ପଡ଼ିଛି ଏହି ଦୁର୍ଘଟଣାରେ ପ୍ରାୟ ୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେଡ୍ ତଳେ ପାର୍କିଂ ହୋଇ ରହିଥିବା କାର୍ ଓ ଅଟୋରିକ୍ସା ସମ୍ପୂର୍ଣ୍ଣ ଭାବେ ଚାପି ହୋଇ ନଷ୍ଟ ହୋଇଯାଇଛିlମାତ୍ର କିଛି ମାସ ତଳେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ସେଡ୍ ପ୍ରଥମ ବର୍ଷାରେ ଭାଙ୍ଗିଯିବା ପରେ ରେଳ ବିଭାଗର ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତାସର ଘର ଭଳି ଭୁଶୁଡ଼ିଲା ଲୁହା ଢାଞ୍ଚାପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ ରାଉରକେଲାରେ ମୂଷଳଧାରାରେ ବର୍ଷା ହେଉଥିଲା। ବର୍ଷାରୁ ବଞ୍ଚିବା ପାଇଁ ଅନେକ ଯାତ୍ରୀ ଏବଂ ସ୍ଥାନୀୟ ଅଟୋ ଚାଳକମାନେ ଏହି ନବନିର୍ମିତ ସେଡ୍ ତଳେ ଆଶ୍ରୟ ନେଇଥିଲେ। କିନ୍ତୁ ହଠାତ୍ ଏକ ବଡ଼ ଶବ୍ଦ କରି ସେଡ୍ର ବିଶାଳ ଲୁହା ପାଇପ୍ ଏବଂ ଛାତ ସିଧା ତଳକୁ ଖସିପଡ଼ିଥିଲା। ପାଣିର ଭାର ସହି ନପାରି ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ସେଡ୍ ଭୁଶୁଡ଼ିବା ମାତ୍ରେ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଲୋକେ ଜୀବନ ବିକଳରେ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ।ବ୍ୟାପକ ସମ୍ପତ୍ତି ନଷ୍ଟ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀଏହି ଦୁର୍ଘଟଣାରେ ସେଠାରେ ଛିଡ଼ା ହୋଇଥିବା ଏକ ପ୍ରାଇଭେଟ୍ କାର୍ ସମ୍ପୂର୍ଣ୍ଣ ଗୁଣ୍ଡ ହୋଇଯାଇଥିବା ବେଳେ କିଛି ଅଟୋରିକ୍ସା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛିଦୁର୍ଘଟଣାରେ ଆହତ ହୋଇଥିବା ୫ ଜଣ ବ୍ୟକ୍ତିଙ୍କୁ ତୁରନ୍ତ ସ୍ଥାନୀୟ ଆରପିଏଫ୍ ଏବଂ ଜିଆରପିସହାୟତାରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିl ସୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନି ଘଟିନାହିଁ। ଯଦି ଏହି ସମୟରେ କୌଣସି ଟ୍ରେନ୍ ଆସିଥାନ୍ତା ଏବଂ ଅଧିକ ଭିଡ଼ ଥାନ୍ତା, ତେବେ ମୃତ୍ୟୁସଂଖ୍ୟା ଅତି ଭୟଙ୍କର ହୋଇଥାନ୍ତା ବୋଲଇ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।ନିମ୍ନମାନର କାମ ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୋଟିଏ ଟଙ୍କା ଖର୍ଚ୍ଚ କରି ରେଳ ପ୍ରଶାସନ କେମିତି ଏଭଳି ଦୁର୍ବଳ ଓ ଗୁଣବତ୍ତାହୀନ କାର୍ଯ୍ୟକୁ ଅନୁମତି ଦେଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଅଘଟଣ ଘଟିଲା ବୋଲି ଅଭିଯୋଗ ହୋଇଛି। ଅପରପକ୍ଷରେ, ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ବରିଷ୍ଠ ରେଳ ଅଧିକାରୀମାନେ ତୁରନ୍ତ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଠିକାଦାର ଓ ସହଯୋଗୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବ୍ୟୁରୋରିପୋର୍ଟ ଶ୍ରୀ ନ୍ୟୁଜ



