ଶିବଙ୍କ ମୁଣ୍ଡରେ ଜଳ ଢାଳି ଆରପାରିକୁ ଚାଲିଗଲେ କାଉଡିଆ;ଶ୍ରାବଣ ସୋମବାର ରେ

କବିସୂର୍ଯ୍ୟନଗର ୧୭/୦୮:ଗଞ୍ଜାମ ଜିଲ୍ଲା କବିସର୍ଯ୍ୟନଗର ଥାନା ଅନ୍ତର୍ଗତ ଯୁମୁନାଗିରି ପାହାଡ ଉପରେ ଥିବା ପ୍ରସିଦ୍ଧ ଶୈବପୀଠ ସିଦ୍ଧେଶ୍ୱର ମନ୍ଦିରରେ ଜଳାଭିଷେକ କରି ତଳକୁ ଫେରିଲାବେଳେ ଆଧା ପାହାଚରେ ହୃଦଘାତରେ ଜଣେ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ଡୋଡିଙ୍ଗିଆ ପଞ୍ଚାୟତର ୩୫ ବର୍ଷିୟ ଲିଚୁ ବିନ୍ଧାଣୀ । ସେ ଓ ତାଙ୍କର କେତେ ଜଣ ସହଯୋଗୀ ମିଶି ବୋଲବମ ଆସିଥିଲେ । ଆସିକା ଋଷିକୂଲ୍ୟା ନଦୀରୁ ପାଣି ଉଠେଇବା ପରେ ସେମାନେ ଜଳାଭିଷେକ ପାଇଁ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଯୁମୁନାଗିରି ପାହାଡ ଉପରେ ଥିବା ପ୍ରସିଦ୍ଧ ଶୈବପୀଠ ସିଦ୍ଧେଶ୍ୱର ମନ୍ଦିରକୁ ଜଳାଭିଷେକ କରିବାକୁ ଯାଇଥିଲେ । ୧୨ଶହ ପାହାଚ ଅତିକ୍ରମ କରି ମୁଖ୍ୟ ପୀଠରେ ପହଞ୍ଚି ଜଳାଭିଷେକ କରି ତଳକୁ ଖସିବା ସମୟରେ ଅଧା ପାହାଚରେ ଲିଚୁ ହୃଦଘାତର ଶିକାର ହୋଇ ଟଳି ପଡ଼ିଥିଲେ l ସେଠାରୁ ଆମ୍ବୁଲାନ୍ସ ସହାୟତାରେ ତାଙ୍କ ସହଯୋଗୀ ମାନେ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।
ଗଞ୍ଜାମ ରୁ ରଂଜିତ ଜେନା ଙ୍କ ରିପୋର୍ଟ



