କ୍ରୀଡା

IPL 2026: ମାର୍ସ, ପ୍ରିନ୍ସ ଲକ୍ଷ୍ନୌକୁ ଜିତାଇଲେ: ଆର୍‌ସିବିକୁ ୯ ରନ୍‌ରେ ହରାଇଲେ

ଲକ୍ଷ୍ନୌ: ଚଳିତ ଆଇପିଏଲ୍‌ରେ ଗୁରୁବାର ବିଜେତା ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ରୋମାଞ୍ଚକ ଭାବେ ୯ ରନ୍‌ରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର୍‌ ଜାଏଣ୍ଟସ୍‌। ବର୍ଷାବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଆର୍‌ସିବିକୁ ୧୯ ଓଭରରେ ୨୧୩ ରନ୍‌ ଲକ୍ଷ୍ୟ ମିଳିଥିଲା। ଆର୍‌ସିବି କିନ୍ତୁ ପ୍ରଥମ ଦୁଇ ଓଭର ଭିତରେ ଏହାର ପ୍ରାରମ୍ଭିକ‌ ‌ଯୋଡ଼ି ଜ୍ୟାକବ୍‌ ବେଥେଲ୍‌ ଓ ବିରାଟ କୋହଲିଙ୍କୁ ହରାଇବା ପରେ ୨୦୩/୬ରେ ଅଟକିଯାଇଥିଲା। ରଜତ ପଟିଦାର, ଟିମ୍‌ ଡେଭିଡ୍‌, କ୍ରୁନାଲ୍‌ ପାଣ୍ଡ୍ୟା, ଦେବଦତ୍ତ ପଡ଼ିକଲ ପ୍ରମୁଖ ଲଢ଼ିଥିଲେ ବି ତାହା ଯଥେଷ୍ଟ ହୋଇ ନଥିଲା। ଶେଷ ଓଭରରୁ ୨୦ ରନ୍‌ ଆବଶ୍ୟକ ହେଉଥିଲା ବେଳେ ଦିଗବେଶ ରାଠିଙ୍କଠାରୁ କ୍ରୁନାଲ୍‌ ଓ ସେଫର୍ଡ ମାତ୍ର ୧୦ ରନ୍‌ ଆଦାୟ କରିପାରିଥିଲେ। ୩ ଥର ବର୍ଷା ବାଧା ଆଣିଥିବାରୁ ମ୍ୟାଚ୍‌କୁ ୧୯ ଓଭର ବିଶିଷ୍ଟ କରାଯାଇଥିଲା।

ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି‌ ନେଇଥିଲା ଆର୍‌ସିବି। ବାରମ୍ବାର ବର୍ଷା ବାଧା ସତ୍ତ୍ବେ ଅଷ୍ଟ୍ରେଲୀୟ ଓପନର୍‌ ମିଚେଲ୍‌ ମାର୍ସ ଚଳିତ ଋତୁରେ ତାଙ୍କ ଶ୍ରେଷ୍ଠ ପାଳି ଖେଳିଥିଲେ। ପ୍ରଥମ ସୁଯୋଗ ପାଇଥିବା ଅର୍ଶିନୀ କୁଲକର୍ଣ୍ଣି (୨୪ ବଲ୍‌ରୁ ୧୭ ରନ୍) ମନ୍ଥର ଖେଳିଥିଲେ ମଧ୍ୟ ପ୍ରଥମ ୱିକେଟ୍‌ ପାଇଁ ମାର୍ସଙ୍କ ସହ ୯୫ ରନ୍‌ ଉଠାଇଥିଲେ। ମାର୍ସ କିନ୍ତୁ ୨୦ ବଲ୍‌ରୁ ଅର୍ଦ୍ଧଶତକ ଓ ୪୯ ବଲ୍‌ରୁ ଶତକ ପୂର୍ଣ୍ଣ କରି ସଂଘର୍ଷରତ ଲକ୍ଷ୍ନୌକୁ ଆଶା ଦେଖାଇଥିଲେ। ୯ଟି ଲେଖାଏଁ ଚୌକା ଓ ଛକା ମାରିଥିବା ମାର୍ସ ୫୬ ବଲ୍‌ରୁ ୧୧୧ ରନ୍‌ କରି ନିଜ ଦେଶର ଜୋସ ହାଜେଲଉଡ୍‌ଙ୍କ ଶିକାର ହୋଇଥିଲେ। ଶେଷକୁ ଅଧିନାୟକ ଋଷଭ ପନ୍ତ୍‌ (୧୦ ବଲ୍‌ରୁ ୩୨* ରନ୍‌) ଏବଂ ନିକୋଲାସ ପୂରନ (୨୩ ବଲ୍‌ରୁ ୩୮ ରନ୍) ଆକ୍ରମଣାତ୍ମକ ଖେଳି ଦଳକୁ ୨୦୯ ରନ୍‌ରେ ପହଞ୍ଚାଇଥିଲେ।

ସଂକ୍ଷିପ୍ତ ସ୍କୋର: ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌ସ ୧୯ ଓଭରରେ ୨୦୯/୩ (ମିଚେଲ୍‌ ମାର୍ସ-୧୧୧, ନିକୋଲାସ ପୂରନ-୩୮, ଋଷଭ ପନ୍ତ୍‌-୩୨*, କ୍ରୁନାଲ୍‌ ପାଣ୍ଡ୍ୟା-୧/୩୧, ଜୋସ ହାଜେଲଉଡ୍‌-୧/୪୯, ରସିଖ ସଲାମ-୧/୫୩)। ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୯ ଓଭରରେ ୨୦୩/୬ (ରଜତ ପଟିଦାର-୬୧, ଟିମ୍‌ ଡେଭିଡ୍‌-୪୦, ଦେବଦତ୍ତ ପଡ଼ିକଲ-୩୪, କ୍ରୁନାଲ୍ ପାଣ୍ଡ୍ୟା-୨୮*, ରୋମାରିଓ ସେଫର୍ଡ-୨୩*,  ପ୍ରିନ୍ସ ଯାଦବ-୩/୩୩, ଶାହାବାଜ ଅହମଦ-୨/୩୩, ମହମ୍ମଦ ସାମି-୧/୩୩)।

Leave a Reply

Your email address will not be published. Required fields are marked *

Back to top button