ଥାଲାସେମିଆକୁ ରୋକିବ ସଚେତନତା

ପୃଥିବୀର ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ ଥାଲାସେମିଆ ପୀଡ଼ିତଙ୍କ ସଂଖ୍ୟା ଅଧିକ। ଆକଳନରୁ ଜଣାପଡ଼ିଛି ଯେ, ଆମ ଦେଶରେ ବିଶ୍ବର ୨୫ ପ୍ରତିଶତ ଥାଲାସେମିଆ ରୋଗୀ ଅଛନ୍ତି ଓ ଏଥିରୁ ପ୍ରାୟ ୫ କୋଟି ଲୋକ ବିଟା ଥାଲାସେମିଆରେ ଆକ୍ରାନ୍ତ। ସେହିପରି ପ୍ରତିବର୍ଷ ଏଠାରେ ୧୦ରୁ ୧୫ ହଜାର ନୂଆ ଥାଲାସେମିଆ ରୋଗୀ ଚିହ୍ନଟ ହେଉଛନ୍ତି। ବିଶେଷକରି ପଞ୍ଜାବ ଓ ଗୁଜରାଟ ଭଳି ରାଜ୍ୟରେ ଅଧିକ ଥାଲାସେମିଆ ପୀଡ଼ିତ ବାହାରୁଛନ୍ତି। ଥାଲାସେମିଆ ମେଜର୍ ରୋଗରେ ପୀଡ଼ିତମାନଙ୍କୁ ଆଜୀବନ ପ୍ରତି ୧୫ରୁ ୨୦ ଦିନ ମଧ୍ୟରେ ରକ୍ତ ପରିବର୍ତ୍ତନ ଓ ଆଇରନ୍ କିଲେସନ୍ ଚିକିତ୍ସା କରାଇବାକୁ ପଡ଼ିଥାଏ। ଏଥିପାଇଁ ବର୍ଷକୁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ଥାଲାସେମିଆରୁ ଆରୋଗ୍ୟ ହେବାର ଏକମାତ୍ର ଉପାୟ ହେଉଛି ଅସ୍ଥିମଜ୍ଜା ପ୍ରତିରୋପଣ। ଏହା ଅତ୍ୟନ୍ତ ବ୍ୟୟବହୁଳ ଏବଂ ଦାତାଙ୍କ ଅସ୍ଥିମଜ୍ଜା, ଗ୍ରହୀତାଙ୍କ ଅସ୍ଥିମଜ୍ଜା ସହ ମେଳ ଖାଇବା ମଧ୍ୟ ଜରୁରି। ଥାଲାସେମିଆ ଭଳି ରକ୍ତ ବିକୃତି ଉପଶମ ଲାଗି କେନ୍ଦ୍ର ସରକାର ‘ନ୍ୟାସ୍ନାଲ୍ ପ୍ରୋଗ୍ରାମ୍ ଫର୍ କଣ୍ଟ୍ରୋଲ୍ ଅଫ୍ ବ୍ଲଡ୍ ଡିଜ୍ଅଡର୍ସ’ ଗଠନ କରିଛନ୍ତି। ଏହା ଜନ ସଚେତନତା କାର୍ଯ୍ୟକ୍ରମ, ନିଦାନ ଓ ରକ୍ତ ପରିବର୍ତ୍ତନ ସେବା ପ୍ରଦାନ କରେ। ହେଲେ ଏହା ସମୁଦ୍ରକୁ ଶଙ୍ଖେ ଭଳି। ଏହାଛଡ଼ା, ଗୁଜରାଟ ଭଳି କେତେକ ରାଜ୍ୟ ମଧ୍ୟ ରାଜ୍ୟସ୍ତରୀୟ ଥାଲାସେମିଆ ସ୍କ୍ରିନିଂ କରୁଛନ୍ତି।
ଭାରତୀୟ ଗବେଷକମାନେ ଥାଲାସେମିଆ ଉପରେ ଗବେଷଣା ଜାରି ରଖିଛନ୍ତି। ଜେନେଟିକ୍ ସ୍କ୍ରିନିଂ ପଦ୍ଧତି ଓ ଥାଲାସେମିଆ ବାହକ ଚିହ୍ନଟ କରିବାରେ ଏହା କିଭଳି ଫଳପ୍ରଦ ହେଉଛି, ତା’ ଉପରେ ମଧ୍ୟ ସେମାନେ ପରୀକ୍ଷା ଚଳାଇଛନ୍ତି। ସେହିପରି କେତେକ ସ୍ଥାନରେ ଥାଲାସେମିଆ ଆକ୍ରାନ୍ତ ପିଲାଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଉଛି। ଥାଲାସେମିଆ ପାଇଁ ଦାୟୀ ପରିବର୍ତ୍ତିତ ଗୁଣସୂତ୍ର ସଂଶୋଧନ ଲାଗି ସିଆର୍ଆଇଏସ୍ପିଆର୍/କ୍ୟାସ୍୯ ଭଳି ଜିନ୍-ଏଡିଟିଂ କୌଶଳ ଉପରେ ଏବେ ବିଶ୍ବବ୍ୟାପୀ ଧ୍ୟାନ ଦିଆଯାଉଛି। ଏହି କ୍ରମରେ ଭାରତୀୟ ବୈଜ୍ଞାନିକମାନେ ଥାଲାସେମିଆ ନିରାକରଣ ପାଇଁ ଜିନ୍ ଥେରାପି ଉପରେ ଗବେଷଣା କରୁଛନ୍ତି। ସେହିପରି ଷ୍ଟେମ୍ ସେଲ୍ ପ୍ରତିରୋପଣ ଓ ରକ୍ତ ପରିବର୍ତ୍ତନ ଅବଧି ବୃଦ୍ଧି କରିବାକୁ ନୂଆ ଔଷଧ ପ୍ରସ୍ତୁତି ଦିଗରେ ବୈଜ୍ଞାନିକମାନେ ପରୀକ୍ଷା ନିରୀକ୍ଷା କରୁଛନ୍ତି। ଥାଲାସେମିଆ ନିରାକରଣ ପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯିବା ଉପରେ ବିଶେଷଜ୍ଞମାନେ ଜୋର ଦିଅନ୍ତି।
ସେସବୁ ହେଉଛି- ଅନ୍ତଃସତ୍ତ୍ବା ହେବାର ତିନି ମାସ ମଧ୍ୟରେ ମହିଳାମାନଙ୍କର ଏଚ୍ବିଏ୨ ପରୀକ୍ଷା ବାଧ୍ୟତାମୂଳକ କରିବା ଓ ସରକାରଙ୍କ ପକ୍ଷରୁ ଆଣ୍ଟିନାଟାଲ୍ ସ୍କ୍ରିନିଂ ପାଇଁ ସମସ୍ତ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେବା। ସେହିପରି ଥାଲାସେମିଆ ସୃଷ୍ଟିକାରୀ ଜିନ୍ ବା ଏହାର ବାହକ ଚିହ୍ନଟ ପାଇଁ ସ୍କୁଲ୍ରେ ଓ ସାହି/ବସ୍ତିରେ ସ୍କ୍ରିନିଂ କାର୍ଯ୍ୟକ୍ରମ ଆବଶ୍ୟକ। ତା’ଛଡ଼ା ଥାଲାସେମିଆ ବାହକ ପୁଅଝିଅଙ୍କ ମଧ୍ୟରେ ବିବାହ ସଂଖ୍ୟା ହ୍ରାସ ଲାଗି ଜେନେଟିକ୍ କାଉନ୍ସେଲିଂ ଜରୁରି। ଦେଶରୁ ଥାଲାସେମିଆ ମୂଳପୋଛ କରିବାକୁ ସବୁ ଦିଗରୁ ମିଳିତ ପ୍ରଚେଷ୍ଟା ଦରକାର। ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ, ସ୍ବାସ୍ଥ୍ୟସେବା, ଜିନ୍ ଓ ଷ୍ଟେମ୍ସେଲ୍ ଥେରାପି ସହ ସରକାରୀ ପ୍ରୋତ୍ସାହନ ହିଁ ଥାଲାସେମିଆ ବୋଝ କିଛିଟା କମାଇପାରେ। ଲୋକେ ସଚେତନ ହେଲେ ବିଶ୍ବରୁ ଥାଲାସେମିଆ ନିଶ୍ଚିହ୍ନ କରାଯାଇ ପାରିବ। ପ୍ରଥମ ଥାଲାସେମିଆ ମୁକ୍ତ ଦେଶ ଭାବେ ସାଇପ୍ରସ୍ ଓ ଅନ୍ୟ କେତେକ ଦେଶ ଏକଥା ପ୍ରମାଣିତ କରିସାରିଛନ୍ତି।