ଓଡିଶା

ବେଲଗୁଣ୍ଠାରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ବିରୋଧ: ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବଣିକ ସଂଘର ଦାବି ପତ୍ର ପ୍ରଦାନ ।

ବେଲଗୁଣ୍ଠା:୧୭/୦୬, ବେଲଗୁଣ୍ଠା ଏନ.ଏ.ସି ରେ ଅହେତୁକ ଭାବେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରାଯିବା ପ୍ରତିବାଦରେ ସ୍ଥାନୀୟ ବଣିକ ସଂଘ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବେଲଗୁଣ୍ଠା ବଣିକ ସଂଘ ପକ୍ଷରୁ ସଭାପତି ସନ୍ନତ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ମାରକପତ୍ର ପ୍ରଦାନ କରାଯିବା ସହିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ମଧ୍ୟ ପୋଷ୍ଟ ଯୋଗେ ପ୍ରେରଣ ହୋଇଛି । ଏଥିରେ ଦର୍ଶାଯାଇଛି ବେଲଗୁଣ୍ଠା ବଣିକ ସଂଘ ଓ ସାଧାରଣ ଜନତା ଏନ.ଏ.ସି ର ସମସ୍ତ ନିୟମ ପାଳନ କରି ନିୟମିତ ଟ୍ୟାକ୍ସ ପ୍ରଦାନ କରିଆସୁଛନ୍ତି।ମାତ୍ର ବର୍ତ୍ତମାନ ଏନ.ଏ.ସି କର୍ତ୍ତୃପକ୍ଷ କୌଣସି ପୂର୍ବ ସୂଚନା ନଦେଇ ହୋଲ୍ଡିଂ ଟ୍ୟାକ୍ସରେ ଅହେତୁକ ବୃଦ୍ଧି କରିଛନ୍ତି।ଯେଉଁ ଟ୍ୟାକ୍ସ ପୂର୍ବରୁ ବାର୍ଷିକ ଅତି କମରେ ରହିଥିଲା, ତାହା ଏବେ ୬୦ ରୁ ୮୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି, ଯାହା ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି।ସରକାରଙ୍କ ନିର୍ଦ୍ଦେଶ ଥାଇ ମଧ୍ୟ ପ୍ରତ୍ୟେକ ୱାର୍ଡରେ ଜନସାଧାରଣଙ୍କ ସହ ଆଲୋଚନା ନକରି ଏହି ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଛି।ବର୍ତ୍ତମାନ ବଜାର ସ୍ଥିତି ଏବଂ ବ୍ୟବସାୟରେ ମାନ୍ଦାବସ୍ଥା ଲାଗିରହିଥିବା ବେଳେ ଏହି ବର୍ଦ୍ଧିତ ଟ୍ୟାକ୍ସ ସାଧାରଣ ଖାଉଟି ଓ ବ୍ୟବସାୟୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଅନ୍‌ଲାଇନ୍ ବ୍ୟବସାୟ ଯୋଗୁଁ ସ୍ଥାନୀୟ ବ୍ୟବସାୟୀମାନେ ପୂର୍ବରୁ ହିଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନର ଏହି ଏକତରଫା ନିଷ୍ପତ୍ତି ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ତେଜିଛି।ବଣିକ ସଂଘ ଏବଂ ବେଲଗୁଣ୍ଠାବାସୀ ଦାବି କରିଛନ୍ତି ଯେ, ଏହି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ହୋଲ୍ଡିଂ ଟ୍ୟାକ୍ସକୁ ସମସ୍ତ ବର୍ଗର ଲୋକଙ୍କ ସୁହାଇଲା ଭଳି ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯାଉ। ଆସନ୍ତା ୫ ଦିନ ମଧ୍ୟରେ ଯଦି ପ୍ରଶାସନ ଏହାର କୌଣସି ସ୍ଥାୟୀ ସମାଧାନ ନକରେ, ତେବେ ବେଲଗୁଣ୍ଠା ବଣିକ ସଂଘ ଓ ସ୍ଥାନୀୟ ଗ୍ରାମବାସୀ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ଆଇନର ଆଶ୍ରୟ ନେବେ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି ।ଏହି ଅବସରରେ ବଣିକ ସଙ୍ଘ ସଭାପତି ସନ୍ନତ କୁମାର ସୁବୁଦ୍ଧି, ଉପସଭାପତି ପ୍ରଶାନ୍ତ କୁମାର ସରାବ, ସମ୍ପାଦକ ସୁଦାମ କୁମାର ତ୍ରିପାଠୀ, ସହସମ୍ପାଦକ ସୁରେଶ କୁମାର ସାହୁ, ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁଙ୍କ ସମେତ ଅନ୍ୟ ସଦସ୍ୟ ଓ ସହର ବାସୀ ଉପସ୍ଥିତ ଥିଲେ।

ବେଲଗୁଣ୍ଠା ରୁ ଶିବରାମ ଚୌଧୁରୀ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button