ଭଞ୍ଜନଗର ପୋଲିସ ହାତରେ ୨ ଅନ୍ତଃଜିଲ୍ଲା ଅପରାଧୀ ଗିରଫ: ବାଇକ୍ ଓ ଆଇଫୋନ୍ ଜବତ

ଭଞ୍ଜନଗର ୧୭/୦୬ :ଭଞ୍ଜନଗର ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚୋରି ଓ ଅପରାଧିକ ମାମଲାରେ ସଂପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଏହି ମାମଲାରେ ପୋଲିସ ଏକ ବଜାଜ ପଲସର ମୋଟରସାଇକେଲ ଏବଂ ଏକ ଦାମୀ ଆଇଫୋନ୍ ୧୪ ପ୍ରୋ ମୋବଇଲ ଫୋନ ଜବତ କରିଛି।ପୋଲିସ ସୂଚନା ଅନୁଯାୟୀ, ଗତ ୧୩ ଜୁନ୍ ୨୦୨୬ ରେ ଭଞ୍ଜନଗର ଥାନାରେ କେସ୍ ନମ୍ବର ୫୮୪/୨୬, ଭାରତୀୟ ନ୍ୟାୟ ସଂହିତା ର ଦଫା ୩୦୯(୪) ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ କରି ପୋଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିର ସନ୍ନ୍ୟାସୀ ପାତ୍ରଙ୍କ ପୁଅ ବଳରାମ ପାତ୍ର (୨୪) ଏବଂ ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମର ଶିବରାମ ପ୍ରଧାନଙ୍କ ପୁଅ ବିଜୟ କୁମାର ପ୍ରଧାନ (୨୭)। ବିଜୟ ବର୍ତ୍ତମାନ ବାଲିଗୁଡ଼ା ନୂଆସାହିରେ ରହୁଥିଲେ।ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଅପରାଧ ପଛରେ ଆଉ କେଉଁମାନଙ୍କର ହାତ ରହିଛି ଏବଂ ଏମାନେ ଅନ୍ୟ କେଉଁ କେଉଁ ଅପରାଧରେ ସାମିଲ ଅଛନ୍ତି, ସେ ନେଇ ଭଞ୍ଜନଗର ପୋଲିସ ଅଧିକ ତଦନ୍ତ ଚଳାଇଛି।
ଭଞ୍ଜନଗର ସୁନୀଲ କର ଙ୍କ ରିପୋର୍ଟ



