ଭଞ୍ଜନଗର ପୋଲିସ କୁ ଆଉ ଏକ ବଡ଼ ସଫଳତା: ୩୬ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ, ୨ ଚୋରା ଚାଲାଣକାରୀ ଗିରଫ

ଭଞ୍ଜନଗର,୦3/୦୭: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ଚୋରା ଗଞ୍ଜେଇ କାରବାର ବିରୋଧରେ ଏକ ବଡ଼ ସଫଳତା ହାସଲ କରିଛି। ଗତ ୨ ଜୁଲାଇ ୨୦୨୬ ତାରିଖ ଅପରାହ୍ନ ପ୍ରାୟ ୪ଟା ୫୦ ମିନିଟ୍ ସମୟରେ ଦଦରଲୁଣ୍ଡା ବସ୍ ଷ୍ଟପ୍ ନିକଟରେ ଚଢ଼ାଉ କରି ପୋଲିସ ୩୬ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ପୋଲିସ ସୂଚନା ଅନୁସାରେ, ଭଞ୍ଜନଗର ଥାନାର ଏସ୍.ଆଇ. ସମୀର କୁମାର ସେଠୀ ପାଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ ଦୁଇଜଣ ବ୍ୟକ୍ତି ଟ୍ରଲି ବ୍ୟାଗ୍ରେ ଗଞ୍ଜେଇ ନେଇ ଚୋରା ଚାଲାଣ ପାଇଁ ଦଦରଲୁଣ୍ଡା ବସ୍ ଷ୍ଟପ୍ ନିକଟରେ ଅପେକ୍ଷା କରୁଛନ୍ତି। ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଦୁଇଜଣ ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ କାବୁ କରାଯାଇଥିଲା।ପରବର୍ତ୍ତୀ ସମୟରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ସ୍ୱାଧୀନ ସାକ୍ଷୀମାନଙ୍କ ଉପସ୍ଥିତିରେ ଟ୍ରଲି ବ୍ୟାଗ୍ର ଯାଞ୍ଚ କରାଯାଇଥିଲା। ସେଥିରୁ ୩୬ କିଲୋ ୨୦୦ ଗ୍ରାମ ଗଞ୍ଜେଇ, ଗୋଟିଏ ମୋବାଇଲ୍ ଫୋନ୍ ଏବଂ ନଗଦ ୨,୦୦୦ ଟଙ୍କା ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ କନ୍ଧମାଳ ଜିଲ୍ଲାର ପ୍ରଭାକର ଦିଗାଲ (ରାଇକିଆ ଥାନା ଅଞ୍ଚଳ) ଓ ଜୁନେଶ ଦିଗାଲ (ଜି. ଉଦୟଗିରି ଥାନା ଅଞ୍ଚଳ) ବୋଲି ଜଣାପଡ଼ିଛି।ଏହି ଘଟଣାରେ ଭଞ୍ଜନଗର ଥାନାରେ ମାମଲା ରୁଜୁ କରାଯାଇଛି। ଭଞ୍ଜନଗର ଥାନା ଆଇଆଇସି ଜୀବନାନନ୍ଦ ଜେନା ମାମଲାର ତଦନ୍ତ କରୁଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ଭଞ୍ଜନଗର ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଉଛି।
ବୀର ରିପୋର୍ଟ ଶ୍ରୀ ନ୍ୟୁଜ



