ଲୋହରାଖଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ୭୭ତମ ବନ ମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା

ଭଞ୍ଜନଗର ୦୩/୦୭: ପ୍ରକୃତି ହେଉଛି ଜୀବନର ଆଧାର, ଆଉ ବୃକ୍ଷ ହେଉଛି ପୃଥିବୀର ପ୍ରାଣ। ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ, ବୃଦ୍ଧି ପାଉଥିବା ତାପମାତ୍ରା ଓ ପରିବେଶ ପ୍ରଦୂଷଣ ସମଗ୍ର ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଲୋହରାଖଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ମଳାସପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୭ତମ ବନ ମହୋତ୍ସବ ଆୟୋଜିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆର୍. ଗୀତାଞ୍ଜଳି ଆଚାରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସାବିତ୍ରୀମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ. ଉଷା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସନ୍ତୁଳନ ରକ୍ଷାରେ ବୃକ୍ଷର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ତଥା ବୃକ୍ଷପ୍ରେମୀ କନକଲତା ନାୟକ, ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ଓ ବରିଷ୍ଠ ସଦସ୍ୟ ପବିତ୍ର ମୋହନ ରାଉତରାୟ ଉପସ୍ଥିତ ରହି ବୃକ୍ଷ ସଂରକ୍ଷଣର ଗୁରୁତ୍ୱ ଏବଂ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଅରୁଣା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହଭାଗିତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପରିବେଶ ସୁରକ୍ଷା ପ୍ରତି ସାମୂହିକ ସଙ୍କଳ୍ପ ନିଆଯାଇଥିଲା। ଶିକ୍ଷକ ବସନ୍ତ ଚୌଧୁରୀ ଓ ଶିକ୍ଷୟିତ୍ରୀ ଶୁଭସ୍ମିତା ଗୌଡ଼ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ।”ଗୋଟିଏ ବୃକ୍ଷ ଗୋଟିଏ ଜୀବନ”ର ବାର୍ତ୍ତା ଦେଇ ଅନୁଷ୍ଠିତ ଏହି ବନ ମହୋତ୍ସବ ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତାର ଏକ ସାର୍ଥକ ପ୍ରୟାସ ଭାବେ ପରିଗଣିତ ହୋଇଛି।



