ଓଡିଶା

ଭଞ୍ଜନଗରରେ ଆଡ଼ମ୍ବର ସହକାରେ ପାଳିତ ହେଲା କାର୍ଗିଲ ବିଜୟ ଦିବସ: ବୀର ଯବାନଙ୍କୁ ସମ୍ବର୍ଦ୍ଧନା

​ଭଞ୍ଜନଗର ୨୭/୦୭(ବ୍ୟୁରୋ/ନିଜସ୍ୱ ପ୍ରତିନିଧି):୧୯୯୯ ମସିହାର କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାର ଅଦମ୍ୟ ସାହସ, ତ୍ୟାଗ ଓ ଅତୁଳନୀୟ ଦେଶପ୍ରେମର ସ୍ମୃତିଚାରଣ ପୂର୍ବକ ଭଞ୍ଜନଗର ସାଙ୍ଗଠନିକ ଜିଲ୍ଲା ତରଫରୁ ଏକ ଭବ୍ୟ “କାର୍ଗିଲ ବିଜୟ ଦିବସ” ସଭା ଆୟୋଜିତ ହୋଇଯାଇଛି। ଦେଶ ପାଇଁ ନିଜ ପ୍ରାଣକୁ ବାଜି ଲଗାଇ ବିଜୟର ପତାକା ଉଡ଼ାଇଥିବା ବୀର ଶହୀଦ ଓ ସୈନିକମାନଙ୍କ ବଳିଦାନ ଆମକୁ ସଦାସର୍ବଦା ରାଷ୍ଟ୍ରପ୍ରେମ, ଏକତା ଓ ନିଷ୍ଠାର ସହ କର୍ତ୍ତବ୍ୟ ପାଳନ କରିବାର ପ୍ରେରଣା ଦେଇଆସୁଛି ବୋଲି ଏହି ଅବସରରେ ମତପ୍ରକାଶ ପାଇଛି।​ଏହି ସ୍ମରଣୀୟ ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲିକ, ଭଞ୍ଜନଗର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ ନାୟକ ଏବଂ ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଗିଲ ଯୁଦ୍ଧର ବୀରତ୍ୱ ଗାଥା ଉପରେ ଆଲୋକପାତ କରିଥିଲେ। ଦେଶର ସୁରକ୍ଷା ପାଇଁ ସେନାବାହିନୀର ନିସ୍ୱାର୍ଥପର ସେବା ଓ ବଳିଦାନ ଅତୁଲନୀୟ ବୋଲି ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ।ଏହି ଅବସରରେ ଦେଶସେବାରେ ନିଜର ଅମୂଲ୍ୟ ଯୋଗଦାନ ଦେଇଥିବା ସ୍ଥାନୀୟ ଅବସରପ୍ରାପ୍ତ ବୀର ସେନା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ସହ ସେମାନଙ୍କ ତ୍ୟାଗ ଓ ଦେଶସେବା ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ଦଳୀୟ କର୍ମକର୍ତ୍ତା, ବୁଦ୍ଧିଜୀବୀ, ସମାଜସେବୀ ଓ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ରହି ବୀର ଯବାନମାନଙ୍କ ଅମର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button