ଆସ୍କାରେ ବାଇକ୍ ଚୋର ଗିରୋହ ଫାଶ: ୩ ଗିରଫ, ୫ଟି ଗାଡ଼ି ଜବତ

ଆସ୍କା ୧୧/୦୮: ଆସ୍କା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଗୋଟିଏ ଯାନ ଚୋରି ମାମଲାର ତଦନ୍ତ କରି ପୋଲିସ ଏକ ଅନ୍ତର୍ରାଜ୍ୟୀୟ ବାଇକ୍ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ପୋଲିସ ସୂଚନା ଅନୁଯାୟୀ, ଗତ ୭.୮.୨୦୨୬ ତାରିଖରେ ଆସ୍କା ଥାନାରେ ଦାୟର ହୋଇଥିବା କେସ୍ ନମ୍ବର ୪୨୨/୨୬ ମାମଲାର ତଦନ୍ତ କରି ପୋଲିସ ଏହି ସଫଳତା ପାଇଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ମୋଟ ୫ଟି ଚୋରା ମୋଟରସାଇକେଲ୍ ଓ ସ୍କୁଟର ଉଦ୍ଧାର କରି ଜବତ କରାଯାଇଛି। ତଦନ୍ତ ଓ ଯାଞ୍ଚ ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ,ଜବତ ହୋଇଥିବା ଗାଡ଼ିଗୁଡ଼ିକ ମଧ୍ୟରୁ ୨ଟି ସ୍କୁଟର ଆନ୍ଧ୍ରପ୍ରଦେଶରୁ ଚୋରି ହୋଇଥିଲା। ଆସ୍କା ପୋଲିସ ତୁରନ୍ତ ଆନ୍ଧ୍ରପ୍ରଦେଶର ପ୍ରକୃତ ଗାଡ଼ି ମାଲିକଙ୍କ ସହ ଯୋଗାଯୋଗ କରି ଗୋଟିଏ ସ୍କୁଟିକୁ ତାଙ୍କ ହସ୍ତାନ୍ତର କରିଛି। ଗିରଫ ୩ ଅଭିଯୁକ୍ତଙ୍କୁ ମାନ୍ୟବର କୋର୍ଟକୁ ପଠାଯାଇଥିବା ବେଳେ ଏହି ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି।
ବ୍ୟୁରୋ ରିପୋର୍ଟ ଶ୍ରୀ ନ୍ୟୁଜ



