ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ: ଭାଟକୁମରଡା ନିକଟରେ ଉତ୍ତେଜନା, ଟାୟାର ଜାଳି ରାସ୍ତା ଅବରୋଧ

ପୁରୁଷୋତ୍ତମପୁର ୧୭/୦୮:ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ଗ୍ରାମ ନିକଟସ୍ଥ ବାବା ବାଇଧର ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ପ୍ରାଣହାନି ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଆଜି ବାବା ବାଇଧର ମନ୍ଦିର ନିକଟରେ ଏକ ଅଭାବନୀୟ ଦୁର୍ଘଟଣା ଘଟିବାରୁ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ କ୍ଷତିପୂରଣ ଓ ସୁରକ୍ଷିତ ଯାତାୟାତ ଦାବିରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ପ୍ରତିବାଦ ସ୍ୱରୂପ ଭାଟକୁମରଡା ମେଡିକାଲ ଛକ ନିକଟରେ ଗ୍ରାମବାସୀମାନେ ପୁରୁଷୋତ୍ତମପୁର-ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିବା ସହ ଯାତାୟାତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଘଟଣାର ଖବର ପାଇ ପୁରୁଷୋତ୍ତମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି।
ବ୍ୟୁରୋ ରିପୋର୍ଟ ଶ୍ରୀ ନ୍ୟୁଜ



