ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ପୋଖରୀ ପାଣିରେ ବୁଡ଼ି ୮ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଦିଗପହଣ୍ଡି (ରଜନୀକାନ୍ତ ପାତ୍ର):୧୬/୦୯ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧିଖଣ୍ଡି ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଅଘଟଣ ଘଟିଯାଇଛି। ଗଣପତିଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ପୋଖରୀ ପାଣିରେ ବୁଡ଼ି ଜଣେ ୮ମ ଶ୍ରେଣୀ ଛାତ୍ରଙ୍କର କରୁଣ ମୃତ୍ୟୁ ଘଟିଛି। ମୃତ ଛାତ୍ରଜଣକ ସିଦ୍ଧିଖଣ୍ଡି ଗ୍ରାମର ମୋରମ ଜେନାଙ୍କ ପୁଅ ସୀତାଂଶୁ ଜେନା (୧୩) ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ବ୍ଲକ୍ କୋଟିନଡ୍ଡା ପଞ୍ଚାୟତ ସିଦ୍ଧିଖଣ୍ଡି ଗ୍ରାମର କିଛି ଟିଉସନ୍ ଛାତ୍ର ଏକାଠି ହୋଇ ଗଣେଶ ପୂଜା ପରେ ଗଜାନନଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଗାଁ ପୋଖରୀକୁ ଯାଇଥିଲେ। ସେମାନଙ୍କ ସହ ସୀତାଂଶୁ ମଧ୍ୟ ପୋଖରୀକୁ ଯାଇଥିଲେ। ମାତ୍ର ବିସର୍ଜନ ସମୟରେ ଅସାବଧାନତା ବଶତଃ ସୀତାଂଶୁ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ।ସୀତାଂଶୁ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟାକୁଳ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ପୋଖରୀରୁ ତାଙ୍କୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରି ମୃତ ଘୋଷଣା କରିଥିଲେ।ଏହି କରୁଣ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବଂ ସୀତାଂଶୁଙ୍କ ପରିବାରରେ ଗଭୀର ଶୋକର ଛାୟା ଖେଳିଯାଇଛି। ଦିଗପହଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି



