
ମଧ୍ୟପ୍ରଦେଶ ୧୯/୦୯ : ମଧ୍ୟପ୍ରଦେଶରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ ଖବର । ଆଗର ମାଲୱା ଜିଲ୍ଲାର ନଲଖେଡ଼ା ସ୍ଥିତ ପ୍ରସିଦ୍ଧ ମା’ ବଗଳାମୁଖୀ ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ବର୍ଷା ପାଣିର ପ୍ରବଳ ସ୍ରୋତରେ ଭାସିଯାଇଛି ଗୋଟିଏ କାର୍। ଏହି କାର୍ରେ ଥିବା ୮ ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ୭ ଜଣ ଓଡ଼ିଆ ଶ୍ରଦ୍ଧାଳୁ ଓ ଜଣେ ସ୍ଥାନୀୟ ଡ୍ରାଇଭର ଅଛନ୍ତି। ମୃତ ଓଡ଼ିଆ ଶ୍ରଦ୍ଧାଳୁମାନେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ବୋଲି ସୂଚନା ମିଳିଛି। ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ଏକ ପରିବାର ଓ ସମ୍ପର୍କୀୟମାନେ ମଧ୍ୟପ୍ରଦେଶକୁ ତୀର୍ଥଯାତ୍ରାରେ ଯାଇଥିଲେ। ସେମାନେ ଉଜ୍ଜୟିନୀ ଦର୍ଶନ ପରେ ମା’ ବଗଳାମୁଖୀଙ୍କ ଦର୍ଶନ ପାଇଁ ନଲଖେଡ଼ା ଆଡ଼କୁ ଯାଉଥିଲେ। ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ଓ ନାଳଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଳୁମାନେ ଯାତ୍ରା କରୁଥିବା କାର୍ଟି ଏକ ନାଳ/ପୋଲ ପାର୍ ହେବାକୁ ଚେଷ୍ଟା କରୁଥିବା ସମୟରେ ପାଣିର ପ୍ରବଳ ସ୍ରୋତରେ ନିୟନ୍ତ୍ରଣ ହରାଇ ଭାସିଯାଇଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା, ୩ ଜଣ ପୁରୁଷ ଅଛନ୍ତି। ଏହି ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ଜଣାଶୁଣା ଢାବା ମାଲିକ ଓ ତାଙ୍କ ପରିବାର ସଦସ୍ୟ ରହିଛନ୍ତି। ପାଣି କମିବା ପରେ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ଗାଡ଼ି ସହ ମୃତଦେହଗୁଡ଼ିକୁ ଉଦ୍ଧାର କରିଛନ୍ତି। ସେମାନଙ୍କ ପାଖରୁ ମିଳିଥିବା ପରିଚୟପତ୍ରରୁ ଶ୍ରଦ୍ଧାଳୁମାନେ ଓଡ଼ିଶାର ବୋଲି ସ୍ପଷ୍ଟ ହୋଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହିତ ମୃତଦେହଗୁଡ଼ିକୁ ଓଡ଼ିଶା ଫେରାଇ ଆଣିବା ପାଇଁ ମଧ୍ୟପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାହା ସହିତ ମୃତ ପରିବାର ବର୍ଗଙ୍କୁ ୫ ଲକ୍ଷ୍ୟ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ



