ପୋଲିସ ଲଗାଇ ଯୁବପିଢ଼ିଙ୍କ ସ୍ୱର ଚାପିପାରିବେନି ସରକାର: ଇପ୍ସିତା ସାହୁ

ଭୁବନେଶ୍ୱର ବିରୋ ରିପୋର୍ଟ ୨୩/୦୯: ରାଜ୍ୟର ବିଜେପି ସରକାର ପୋଲିସ ବଳ ପ୍ରୟୋଗ କରି ଯୁବପିଢ଼ିଙ୍କ ନ୍ୟାଯ୍ୟ ସ୍ୱରକୁ ଚାପି ଦେବାକୁ ଅପଚେଷ୍ଟା କରୁଛନ୍ତି। ମାତ୍ର ସରକାରଙ୍କ ଏହି ସ୍ୱେଚ୍ଛାଚାରୀ ମନୋଭାବ ଆଗରେ ଯୁବସମାଜ କେବେହେଲେ ମୁଣ୍ଡ ନୁଆଁଇବେ ନାହିଁ। ଯୁବ ଓ ଛାତ୍ର ସମାଜର ହକ୍ ପାଇଁ ସରକାରଙ୍କୁ ନଇଁବାକୁ ପଡ଼ିବ ଏବଂ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ ହେବେ ବୋଲି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ବିଜୁ ଯୁବ-ଛାତ୍ର ନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଏବଂ ସଙ୍ଗଠକ ଚିନ୍ମୟୀ ଭାଇଙ୍କ ଆହ୍ୱାନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସ ବାର୍ତ୍ତାରେ ବିଜେଡି ଯୁବ ନେତୃବୃନ୍ଦ ନିଜର ଦୃଢ଼ ମତ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଇପ୍ସିତା ସାହୁ କହିଛନ୍ତି ଯେ, “ବର୍ଷା ହେଉ, ଖରା ହେଉ କିମ୍ବା କାକର ଶୀତ ହେଉ, ଯୁବପିଢ଼ିଙ୍କ ହକ୍, ଅଧିକାର ଓ ସ୍ୱାଭିମାନର ଏହି ଲଢ଼େଇ ଜାରି ରହିବ। ପୋଲିସର ଭୟ ଦେଖାଇ ଅଭିଯୋଗକୁ ଏଡ଼ାଇ ଦେବା ସରକାରଙ୍କ ଭ୍ରାନ୍ତ ଧାରଣା। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ନପୂରଣ ହେବା ଯାଏଁ ଏହି ଆନ୍ଦୋଳନ ଆଗାମୀ ଦିନରେ ଆହୁରି ତୀବ୍ର ରୂପ ନେବ।” ଏହି ପ୍ରତିବାଦ ସଭାରେ ବହୁ ସଂଖ୍ୟାରେ ଯୁବ ଓ ଛାତ୍ର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ନ୍ୟାୟ ଦାବି କରିଥିଲେ।



