ଦାରିଙ୍ଗିବାଡି ଘାଟିରେ ଫସିଲା ୧୪ ଚକିଆ ଟ୍ରକ୍: ଗମନାଗମନ ସମ୍ପୂର୍ଣ୍ଣ ଠପ୍, ହଜାର ହଜାର ଯାତ୍ରୀ ନାକେଦମ୍ ସୋରଡ଼ା (ଗଞ୍ଜାମ):

ସୋରଡ଼ା ( ସତ୍ୟକାନ୍ତ ପାତ୍ର ) ୨୪/୦୯: ଗଞ୍ଜାମ-କନ୍ଧମାଳ ସୀମାନ୍ତ ସୋରଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗିବାଡି ଘାଟିରେ ଏକ ୧୪ ଚକିଆ ଟ୍ରକ୍ ଫସି ରହିବା ଫଳରେ ଉଭୟ ପଟୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିବା ସହ ଯାତ୍ରୀ ଓ ପରିବହନକାରୀ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ୱରରୁ କାଗଜ (ପେପର୍) ବୋଝେଇ କରି ଏକ ୧୪ ଚକିଆ ଟ୍ରକ୍ ଛତିଶଗଡ଼ର ରାୟପୁର ଅଭିମୁଖେ ଯାଉଥିଲା। ଦାରିଙ୍ଗିବାଡି ଘାଟିର ବିପଦସଙ୍କୁଳ ୪ ନମ୍ବର ବୁଲାଣି ଅତିକ୍ରମ କରିବା ସମୟରେ ଟ୍ରକ୍ର ପଛ ଚକି ରାସ୍ତା କଡ଼ରେ ଦବି ଯାଇଥିଲା। ଡ୍ରାଇଭର ଗାଡ଼ିଟିକୁ ଆଗକୁ ନେବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ ସୁଦ୍ଧା ବୁଲାଣି ଉପରକୁ ଉଠାଇବାରେ ବିଫଳ ହୋଇଥିଲେ। ଗାଡ଼ିଟି ଆଡ଼ବାଡ଼ ହୋଇ ରାସ୍ତା ମଝିରେ ରହିଯିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ପୃର୍ବରୁ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ ଥିବାରୁ ବର୍ତ୍ତମାନ ଗଞ୍ଜାମ ଓ କନ୍ଧମାଳକୁ ଯୋଡ଼ୁଥିବା ମୁଖ୍ୟ ମାଧ୍ୟମ ସାଜିଛି ଦାରିଙ୍ଗିବାଡି ଘାଟି। ଏହି ରାସ୍ତା ଦେଇ ଦୈନିକ ଶହ ଶହ ଯାତ୍ରୀବାହୀ ବସ୍ ଓ ପଣ୍ୟବାହୀ ଟ୍ରକ୍ ଚଳାଚଳ କରୁଛି। ଏଭଳି ସ୍ଥିତିରେ ଦାରିଙ୍ଗିବାଡି ଘାଟି ବନ୍ଦ ହୋଇଯିବାରୁ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ, ରୋଗୀ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ରାସ୍ତାରେ ଫସି ରହିଛନ୍ତି। ଘାଟି ରାସ୍ତାରେ ନାଇଟ୍ କୋଚ୍ ବସ୍, ଆମ୍ବୁଲାନ୍ସ ସମେତ ଅନେକ ଜରୁରୀକାଳୀନ ଗାଡ଼ି ଅଟକି ରହିଥିବାରୁ ସ୍ଥାନୀୟ ଲୋକ ଓ ଚାଳକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ଓ ପୋଲିସ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ଫସିଥିବା ଟ୍ରକ୍କୁ ହଟାଇ ରାସ୍ତା ସ୍ୱାଭାବିକ କରିବାକୁ ଦୃଢ଼ ଦାବି ହୋଇଛି।



