PMAY 2.0 ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ଟପ୍

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହରାଞ୍ଚଳ (ପିଏମ୍ଏୱାଇ-୨.୦) କାର୍ଯ୍ୟାନ୍ବୟନରେ ଓଡ଼ିଶା ଦେଶରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି।
ସୂଚନାନୁସାରେ, ସେପ୍ଟେମ୍ବର ୨୦୨୪ରେ ପିଏମ୍ଏୱାଇ-୨ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୨୦୨୫ ଠାରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଆସୁଛି। ଯୋଜନା ଅଧୀନରେ ଓଡ଼ିଶାରେ ମୋଟ ୨୪,୬୨୫ଟି ଘର ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ୨୩,୪୬୪ଟି ପ୍ରସ୍ତାବିତ ସ୍ଥାନର ଜିଓ-ଟ୍ୟାଗିଂ କାର୍ଯ୍ୟ ସମାପ୍ତ ହୋଇଛି। ୫ ମେଇ ୨୦୨୬ ସୁଦ୍ଧା ୩,୧୩୪ଟି ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ, ୨,୦୦୮ଟି ଘରର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣ ହୋଇସାରିଛି। ଅବଶିଷ୍ଟ ଘରଗୁଡ଼ିକ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣାଧୀନ ରହିଛି ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଲକ୍ଷ୍ୟ ପୂରଣ ହେବ ବୋଲି ରାଜ୍ୟ ସରକାର ଆଶା ପ୍ରକାଶ କରିଛନ୍ତି।
ଏହି ଅବସରରେ, ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣ ଚନ୍ଦ୍ର ମହାପାତ୍ର ଅଧିକାରୀମାନଙ୍କୁ ନିର୍ମାଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ପିଏମ୍ଏୱାଇ-୨ ର ଅବଶିଷ୍ଟ ଲକ୍ଷ୍ୟକୁ ସମୟସୀମା ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଠିକ୍ ସମୟରେ କାର୍ଯ୍ୟ ସମ୍ପାଦନ, ଗୁଣାତ୍ମକ ନିର୍ମାଣ ଏବଂ ସହରାଞ୍ଚଳର ଯୋଗ୍ୟ ଗରିବ ପରିବାରଙ୍କୁ ଶୀଘ୍ର ସୁବିଧା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।



