ସାଇବର ଠକେଇ ବିରୋଧରେ ଖୋର୍ଦ୍ଧା ପୋଲିସର ପଦକ୍ଷେପ ଶିକ୍ଷାନୁଷ୍ଠାନରେ ସଚେତନତା ଅଭିଯାନ; APK, OTP, ଫିସିଂ ଓ ଡିଜିଟାଲ୍ ଆରେଷ୍ଟ୍ ଠକେଇରୁ ସତର୍କ ରହିବାକୁ ପରାମର୍ଶ

ଖୋର୍ଦ୍ଧା, ୧୦/୦୮(ମହମ୍ମଦ ଫଜଲୁର ରହମାନ): ବଢ଼ୁଥିବା ସାଇବର ଅପରାଧକୁ ନେଇ ଖୋର୍ଦ୍ଧା ପୋଲିସ ପକ୍ଷରୁ ସଚେତନତା ଅଭିଯାନ ଜୋରଦାର କରାଯାଇଛି। ଓଡ଼ିଶା ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସ୍ପି ଶ୍ରୀ ପରମାର ସ୍ମିତ ପୁରୁଷୋତ୍ତମଦାସ, IPSଙ୍କ ନିର୍ଦ୍ଦେଶନାରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଛି। ଖୋର୍ଦ୍ଧା ଥାନାର CC & EO ପୋଲିସ ଅଧିକାରୀମାନଙ୍କ ମାର୍ଗଦର୍ଶନ ତଥା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚାରିଟି ଶିକ୍ଷାନୁଷ୍ଠାନରେ ମୋଟ ୩୮୨ ଜଣ ଅଂଶଗ୍ରହଣ କରିଥିଲେ।ସଚେତନତା କାର୍ଯ୍ୟକ୍ରମରେ ସାଇବର ଅପରାଧୀମାନେ ବ୍ୟବହାର କରୁଥିବା ବିଭିନ୍ନ ଠକେଇ ପ୍ରଣାଳୀ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇଥିଲା। APK ଠକେଇ, ଫିସିଂ, OTP ଫ୍ରଡ୍, ନକଲି ନିବେଶ ଯୋଜନା, ଅନଲାଇନ୍ ଆର୍ଥିକ ଠକେଇ ଓ ଡିଜିଟାଲ୍ ଆରେଷ୍ଟ୍ ଭଳି ଅପରାଧ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଅଜଣା ଲିଙ୍କ୍ରେ କ୍ଲିକ୍ ନକରିବା, ଅଜଣା ଆପ୍ଲିକେସନ୍ ଡାଉନଲୋଡ୍ ନକରିବା ଏବଂ OTP, ପାସୱାର୍ଡ, ବ୍ୟାଙ୍କ ତଥ୍ୟ ଭଳି ଗୋପନୀୟ ସୂଚନା କାହା ସହିତ ଶେୟାର ନକରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଅନଲାଇନ୍ କାରବାର ସମୟରେ ନୀତି ଅବଲମ୍ବନ କରିବାକୁ ଅଧିକାରୀମାନେ ଆହ୍ୱାନ ଦେଇଥିଲେ। କୌଣସି ସନ୍ଦେହଜନକ ଫୋନ୍, ମେସେଜ୍ କିମ୍ବା ଲିଙ୍କ୍ ମିଳିଲେ ତୁରନ୍ତ ଯାଞ୍ଚ କରିବାକୁ କୁହାଯାଇଥିଲା। ଠକେଇର ଶିକାର ହେଲେ ବିଳମ୍ବ ନକରନ୍ତୁ
ସାଇବର ଠକେଇର ଶିକାର ହେଲେ ତୁରନ୍ତ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାକୁ ଜଣାଇବା ସହ ଠକେଇ ସମ୍ପର୍କିତ ପ୍ରମାଣ ସୁରକ୍ଷିତ ରଖିବାକୁ କୁହାଯାଇଥିଲା। ଏଥିସହ ଶୀଘ୍ର ସାଇବର ହେଲ୍ପଲାଇନ୍ ୧୯୩୦ରେ ଅଭିଯୋଗ କରିବାକୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପୋଲିସ ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରି ସାଇବର ଅପରାଧ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପୋଲିସ ଅଧିକାରୀମାନେ ସେମାନଙ୍କ ସନ୍ଦେହ ଦୂର କରିବା ସହ ସାଇବର ସୁରକ୍ଷା ସମ୍ପର୍କିତ ଆବଶ୍ୟକ ପରାମର୍ଶ ଦେଇଥିଲେ। ସାଇବର ଅପରାଧ ବିରୋଧରେ କେବଳ ପୋଲିସ ନୁହେଁ, ସମସ୍ତଙ୍କ ସଚେତନତା ହିଁ ମୁଖ୍ୟ ଅସ୍ତ୍ର ବୋଲି ଏହି ଅଭିଯାନ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି। ଆଗାମୀ ଦିନରେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ l



