କହିଲେ_ଭୁଲ_ହେଇଗଲା | ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ ନେଇ ଫସିଲେ କର୍ମଚାରୀ, ଗରିବ ମହିଳାଙ୍କ ସର୍ଜରୀ ପାଇଁ ନେଲେ ୪,୫୦୦ ଟଙ୍କା

ନୟାଗଡ ୧୦/୦୮: ନୟାଗଡ଼ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ନାଁରେ ଗରିବ ରୋଗୀଙ୍କୁ ଶୋଷଣ କରାଯାଉଥିବାର ଏକ ସଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଜଣେ ଗରିବ ମହିଳାଙ୍କ ସର୍ଜରୀ (ଅପରେସନ୍) ପାଇଁ ହସ୍ପିଟାଲର ଜଣେ କର୍ମଚାରୀ ୪,୫୦୦ ଟଙ୍କା ଲାଞ୍ଚ ନେଇଥିବା ବେଳେ ହରଡ଼ଘଣାରେ ପଡ଼ିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କେବଳ ଏହି ଗୋଟିଏ ଘଟଣା ନୁହେଁ; ବରଂ ନୟାଗଡ଼ ମେଡିକାଲରେ ସର୍ଜରୀ ପାଇଁ ବ୍ୟବହୃତ ହେଉଥିବା ସାଧାରଣ ଛୁଞ୍ଚି ଓ ସୂତା କିଣିବା ନାଁରେ ମଧ୍ୟ ରୋଗୀଙ୍କ ପରିବାରଠାରୁ ନିୟମିତ ଭାବେ ଟଙ୍କା ଆଦାୟ କରାଯାଉଛି। ସରକାରୀ ହସ୍ପିଟାଲକୁ ଆସୁଥିବା ନିରୀହ, ଗରିବ ଓ ଅସହାୟଲୋକମାନେ ବାଧ୍ୟ ହୋଇ ନିଜର ଆତ୍ମୀୟଙ୍କ ଜୀବନ ବଞ୍ଚାଇବା ପାଇଁ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି। ସମ୍ପୃକ୍ତ ଘଟଣାଟି ପଦାକୁ ଆସିବା ଏବଂ ଗଣମାଧ୍ୟମ ଓ ସ୍ଥାନୀୟ ଲୋକଙ୍କ ଚାପ ବଢ଼ିବା ପରେ ଟଙ୍କା ନେଇଥିବା ସମ୍ପୃକ୍ତ କର୍ମଚାରୀ ନିଜେ ଏହି ବେଆଇନ କାର୍ଯ୍ୟକୁ ସ୍ୱୀକାର କରିଛନ୍ତି। କ୍ୟାମେରା ଓ ଲୋକଙ୍କ ଆଗରେ ସେ ନିଜ ଦୋଷ ସ୍ୱୀକାର କରି “କହିଲେ ଭୁଲ୍ ହେଇଗଲା ଆଉ…” ବୋଲି କହି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ସରକାରୀ ହସ୍ପିଟାଲରେ ଏଭଳି ଖୋଲାଖୋଲି ଲାଞ୍ଚ କାରବାର ଓ ରୋଗୀ ଶୋଷଣକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେବଳ “ଭୁଲ ହୋଇଗଲା” କହି ସମ୍ପୃକ୍ତ କର୍ମଚାରୀ ଖସିଯାଇ ପାରିବେ ନାହିଁ ବୋଲି ଅଭିଯୋଗକାରୀ ଦାବି କରିଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଓ ଜିଲ୍ଲାପାଳ ଏହି ଘଟଣାର ତୁରନ୍ତ ତଦନ୍ତ କରି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ବ୍ୟୁରୋ ରିପୋର୍ଟ ଶ୍ରୀ ନ୍ୟୁଜ



