୧୫୭ ନମ୍ବର ଜାତୀୟ ରାଜପଥ ନିକଟରୁ ୨୨ କିଲୋରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ: ଜଣେ ଅଭିଯୁକ୍ତ ଗିରଫ

ଭଞ୍ଜନଗର (ବ୍ୟୁରୋ): ଭଞ୍ଜନଗର ଥାନା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ୧୫୭ ନମ୍ବର ଜାତୀୟ ରାଜପଥ ବେଡିଗୁବା ବିଶ୍ରାମଗୃହ (ରେଷ୍ଟ ସେଡ୍) ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ମିଳିଥିବା ସୂଚନା ମୁତାବକ, ଗତ ୧୨.୦୮.୨୦୨୬ ସନ୍ଧ୍ୟା ସମୟରେ ଭଞ୍ଜନଗର ଥାନା ଏସଆଇ ଏଲ.ଡି. ମହାନ୍ତି ଓ ତାଙ୍କ ସହଯୋଗୀ ପୁଲିସ କର୍ମଚାରୀମାନେ ପାଟ୍ରୋଲିଂ ଏବଂ ବ୍ଲକିଂ ଡ୍ୟୁଟିରେ ଥିଲେ। ଏହି ସମୟରେ ବେଡିଗୁବା ବିଶ୍ରାମଗୃହ ନିକଟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଦୁଇଟି ବ୍ୟାଗ୍ (ଗୋଟିଏ କଫି ରଙ୍ଗର ଟ୍ରଲି ବ୍ୟାଗ ଓ ଗୋଟିଏ କଳା ରଙ୍ଗର ଏୟାର ବ୍ୟାଗ) ଧରି ଛିଡ଼ା ହୋଇଥିବା ପୁଲିସ ନଜରକୁ ଆସିଥିଲା । ପୁଲିସ ସନ୍ଦେହ ପ୍ରକାଶ କରି ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ଯାଞ୍ଚ କରିବାରୁ ବ୍ୟାଗ ଦ୍ୱୟରୁ ବେଆଇନ ଗଞ୍ଜେଇ ବାହାରିଥିଲା। ଅଧିକ ପଚରାଉଚରା ପରେ ଅଭିଯୁକ୍ତ ଜଣକ ଅଜଣା ବ୍ୟବସାୟୀଙ୍କୁ ବିକ୍ରି କରି ଆର୍ଥିକ ଲାଭ ପାଇବା ଉଦ୍ଦେଶ୍ୟରେ ଏହି ଗଞ୍ଜେଇ ଚାଲାଣ କରୁଥିବା ସ୍ୱୀକାର କରିଥିଲେ। ପ୍ରକାଶ କୁମାର ରାଉତ (ପିତା: ନାରାୟଣ ରାଉତ), ଗ୍ରାମ:ସାଧାହାଟା ଦିହି,ଥାନା:ସୋସୋ, ଜିଲ୍ଲା:କେନ୍ଦୁଝର ଅଭିଯୁକ୍ତ ଠାରୁ ୨୨.୪୪୦ କିଲୋଗ୍ରାମ ଗଞ୍ଜେଇ, ନଗଦ ୧୫୦୦ ଟଙ୍କା ଏବଂ ଗୋଟିଏ ମୋବାଇଲ୍ ଫୋନ୍। ଜବତ କରିବା ସମ୍ପର୍କରେ ଭଞ୍ଜନଗର ଥାନା ଆଇଆଇସି (IIC) ଜେ.ଏନ୍. ଜେନାଙ୍କ ନିର୍ଦ୍ଦେଶକ୍ରମେ ମାମଲା ରୁଜୁ କରାଯାଇଛି (କେସ୍ ନଂ ୭୯୫, /୧୨/୦୮/୨୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।



