ଗଞ୍ଜାମ: ସୁନାରି କୂଳ ର (ସମାଜ ସୁରକ୍ଷା ଯୁବକ ସଂଘର ନିଆରା ପ୍ରୟାସ; ଗରିବ ଝିଅ ବାହାଘରରେ ସାଜିଲେ ସାହାରା

ଆସିକା (ବ୍ୟୁରୋ ରିପୋର୍ଟ ଶ୍ରୀ ନ୍ୟୁଜ )୦୮/୦୯ :ମାନବ ସେବା ହିଁ ମାଧବ ସେବା— ଏହି ମହତ ବାଣୀକୁ ପାଥେୟ କରି ଗଞ୍ଜାମ ଜିଲ୍ଲାରେ ଏକ ପ୍ରଶଂସନୀୟ ଉଦାହରଣ ସୃଷ୍ଟି କରିଛି ‘ସୁନାରିକୂଳ ର ସମାଜ ସୁରକ୍ଷା ଯୁବକ ସଂଘ’। ଦୀର୍ଘ କିଛି ବର୍ଷ ହେବ ଏହି ଯୁବ ସଂଘର ସଦସ୍ୟମାନେ ନିଜ ନିଜ ରୋଜଗାରରୁ କିଛି କିଛି ଅର୍ଥ ସଞ୍ଚୟ କରି ସମାଜର ଅସହାୟ, ଗରିବ ଓ ମଧ୍ୟବିତ୍ତ ପରିବାରକୁ ଆବଶ୍ୟକୀୟ ମେଡିକାଲ ସହାୟତା ଯୋଗାଇ ଆସୁଛନ୍ତି। ତେବେ ନିକଟରେ ଏହି ଯୁବକ ସଂଘ ନିଜର ସାମାଜିକ ପ୍ରତିବଦ୍ଧତାକୁ ଆଉ ଗୋଟିଏ ପାହାଚ ଆଗକୁ ନେଇ ଜଣେ ଅସହାୟ ଝିଅର ନିର୍ବନ୍ଧଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଛନ୍ତି।
ସୂଚନାଯୋଗ୍ୟ,କିଛି ଦିନ ତଳେ ଉକ୍ତ ଝିଅଟିର ନିର୍ବନ୍ଧ କାର୍ଯ୍ୟର ସମ୍ପୂର୍ଣ୍ଣ ଖର୍ଚ୍ଚ ଯୁବକ ସଂଘ ବହନ କରିବା ସହ ବାହାଘର ସମୟରେ ମଧ୍ୟ ଆବଶ୍ୟକୀୟ ଆସବାବପତ୍ର ଓ ଆର୍ଥିକ ସହାୟତା ଦେବାକୁ ପ୍ରତିଶୃତି ଦେଇଥିଲେ। ସେହି ପ୍ରତିଶୃତି ଅନୁସାରେ, ଗତକାଲି ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଝିଅଟିର ବାହାଘର ବେଶ୍ ଧୂମଧାମରେ ସମ୍ପନ୍ନ ହୋଇଯାଇଛି।
ଏହି ବିବାହ ଉତ୍ସବରେ ଯୁବକ ସଂଘ ତରଫରୁ ନବଦମ୍ପତିଙ୍କୁ ସଂସାର ପ୍ରତିଷ୍ଠା ପାଇଁ ଏକ ଆଲମାରୀ, ଇଲେକ୍ଟ୍ରିକ ଆଇରନ୍ ବକ୍ସ, ହଟକେସ, ଫ୍ୟାନ ପ୍ରଭୃତି ଗୃହୋପକରଣ ପ୍ରଦାନ କରାଯାଇଛି। ଏହା ସହିତ ନୂଆ ଜୋଇଁଙ୍କୁ ବନ୍ଦାଣ ସ୍ୱରୂପ ନଗଦ ୫,୦୦୦ ଟଙ୍କା ହାତଗୁଞ୍ଜା ଦିଆଯାଇଛି।
ସଂଘର ଏପରି ମହତ ଓ ନିଆରା କାର୍ଯ୍ୟକ୍ରମକୁ କେବଳ ସୁନାରି ସମାଜ ନୁହେଁ, ବରଂ ଆସିକା ତଥା ସମଗ୍ର ଗଞ୍ଜାମ ଜିଲ୍ଲାର ସର୍ବସାଧାରଣ ବୁଦ୍ଧିଜୀବୀ ଓ ଅନ୍ୟାନ୍ୟ ସମାଜର ଲୋକମାନେ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଯୁବପିଢ଼ିଙ୍କର ଏହିଭଳି ନିଃସ୍ୱାର୍ଥପର ସେବା ଓ ସାମାଜିକ ଦାୟିତ୍ୱବୋଧ ଆଜିର ସମାଜ ପାଇଁ ଏକ ବଡ଼ ପ୍ରେରଣା ସାଜିଛି।



