କଳିଙ୍ଗା ଘାଟିରେ ସ୍ଥିତି ସମ୍ଭାଳିବାକୁ ବୈଷୟିକ ଟିମ୍: ସ୍ବାଭାବିକ ହେବାକୁ ଲାଗିବ ମାସ ମାସ, ବିକଳ୍ପ ରାସ୍ତା ନିର୍ମାଣ ନେଇ ମନ୍ଥନ

ଭଞ୍ଜନଗର (ଶ୍ରୀ ନ୍ୟୁଜ ବ୍ୟୁରୋ)/ ୨୭।୯ :ଗଞ୍ଜାମ ଓ କନ୍ଧମାଳ ଜିଲାର ସଂଯୋଗକାରୀ ପ୍ରମୁଖ ଜୀବନରେଖା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବା ନେଇ ଆଶଙ୍କା ଘନେଇବାରେ ଲାଗିଛି। ଘାଟିର ବ୍ୟାପକ କ୍ଷୟକ୍ଷତି ଯୋଗୁଁ ଯାତାୟାତ ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି। ଫଳରେ ଗଞ୍ଜାମ ସହ ସୀମାନ୍ତ ଯୋଡ଼ୁଥିବା ପ୍ରାୟ ୧୫ଟି ଜିଲାର କୋଟି କୋଟି ଜନସାଧାରଣ ଯାତାୟାତ ଏବଂ ପରିବହନ କ୍ଷେତ୍ରରେ ଚରମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମ୍ବେଦନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ରବିବାର ଅପରାହ୍ନରେ ପୂର୍ତ୍ତ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ନିଜେ କଳିଙ୍ଗା ଘାଟି ଅଞ୍ଚଳ ଗସ୍ତ କରି ସ୍ଥିତିର ପ୍ରତ୍ୟକ୍ଷ ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସତ୍ୟ ରଞ୍ଜନ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବାହାରୁ ଆସିବ ବୈଷୟିକ ଟିମ୍, ଯାଞ୍ଚ ହେବ ରାସ୍ତାର ଡିଜାଇନ୍ ସ୍ଥିତି ଅନୁଧ୍ୟାନ କରିବା ପରେ ପୂର୍ତ୍ତ ସଚିବ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରି କହିଥିଲେ ଯେ, ଘାଟି ରାସ୍ତାର ବୈଷୟିକ ଯାଞ୍ଚ ଓ ଭୂତାତ୍ତ୍ୱିକ ସମୀକ୍ଷା ପାଇଁ ରାଜ୍ୟ ବାହାରୁ ଏକ ବିଶେଷଜ୍ଞ ବୈଷୟିକ ଟିମ୍ ପରିଦର୍ଶନରେ ଆସିବେ। ଏହି ଟିମ୍ ଦାଖଲ କରିବାକୁ ଥିବା ବିସ୍ତୃତ ରିପୋର୍ଟ ଆଧାରରେ ହିଁ ପରବର୍ତ୍ତୀ ମରାମତି ଓ ନିର୍ମାଣ କାର୍ଯ୍ୟ ହାତକୁ ନିଆଯିବ। ଏଥି ସହିତ ଘାଟିରେ ବାରମ୍ବାର କାହିଁକି ଭୂସ୍ଖଳନ ଘଟୁଛି, ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ। ପୂର୍ବରୁ ହୋଇଥିବା ରାସ୍ତା ଡିଜାଇନ୍ରେ କୌଣସି ତ୍ରୁଟି ରହିଛି କି ନାହିଁ, ତାହାର ମଧ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯିବ। ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ରାସ୍ତା ଶୋଚନୀୟ ହୋଇପଡ଼ିଥିବା ନେଇ ବ୍ୟାପକ ଅଭିଯୋଗ ଆସୁଛି। ଏହାକୁ ଗୁରୁତ୍ୱର ସହ ନେଇ ସଚିବ କହିଛନ୍ତି ଯେ, ଏହାର ମଧ୍ୟ ସମୀକ୍ଷା କରାଯାଉଛି ଏବଂ ଆବଶ୍ୟକ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ (NHAI)ଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯିବ। କଳିଙ୍ଗା ଘାଟି ରାସ୍ତାରେ ଯାତାୟାତ କେବେ ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସଚିବ ପ୍ରକାଶ କରିଛନ୍ତି ଯେ, ବୈଷୟିକ ଟିମ୍ର ରିପୋର୍ଟ ମିଳିବା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ବର୍ତ୍ତମାନ ଯେଉଁ ପରିମାଣର କ୍ଷୟକ୍ଷତି ହୋଇଛି, ସେଥିପାଇଁ ନିର୍ଦ୍ଦିଷ୍ଟ ସମୟସୀମା କହିବା ସମ୍ଭବ ନୁହେଁ। ତେବେ ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଯଥାଶୀଘ୍ର ରାସ୍ତାକୁ ସ୍ବାଭାବିକ କରିବାକୁ ସବୁ ପ୍ରକାର ବିକଳ୍ପ ଉପରେ କାର୍ଯ୍ୟ ଚାଲିଛି। ବାରମ୍ବାର ଭୂସ୍ଖଳନ ଯୋଗୁ ଗମନାଗମନ ବାଧାପ୍ରାପ୍ତ ହେଉଥିବାରୁ ଏହାର ଏକ ସ୍ଥାୟୀ ସମାଧାନ ସ୍ବରୂପ ଏକ ବିକଳ୍ପ ରାସ୍ତା ନିର୍ମାଣ ନେଇ ଉଚ୍ଚସ୍ତରୀୟ ଆଲୋଚନା ଚାଲିଛି। ସଚିବ ଶ୍ରୀ ସିଂହ ନିଜେ ବିକଳ୍ପ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବିତ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ।



