କୁଡୁତେଇରୁ ୧୦୦ ଲିଟର ଦେଶୀ ମଦ ଜବତ: ୨ ଗିରଫ

ଭଞ୍ଜନଗର (ରଂଜିତ ଜେନା )୦୧/୧୦: ଭଞ୍ଜନଗର ଅବକାରୀ ଷ୍ଟେସନ ପକ୍ଷରୁ ବେଆଇନ ମଦ ବିକ୍ରି ଓ ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ତାରସିଂ ଥାନା ଅନ୍ତର୍ଗତ କୁଡୁତେଇ ଅଞ୍ଚଳରୁ ବିପୁଳ ପରିମାଣର ବେଆଇନ ଦେଶୀ ମଦ ଜବତ କରାଯିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଅବକାରୀ ବିଭାଗର ସୂଚନା ଅନୁସାରେ, ଗୁରୁବାର (୦୧.୧୦.୨୦୨୬) ଅବକାରୀ ଟିମ୍ କୁଡୁତେଇ ମୁଖ୍ୟ ରାସ୍ତା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରି ଦୁଇଟି ପୃଥକ ମାମଲା ରୁଜୁ କରିଥିଲେ। କୁଡୁତେଇ ରାସ୍ତାକଡ଼ରୁ ୭୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ମାମଲାରେ କୁଡୁତେଇ ଗ୍ରାମର ଟୁକୁନା ନାୟକ (୩୫)ଙ୍କୁ ଗିରଫ କରାଯାଇଛି।କୁଡୁତେଇ ମୁଖ୍ୟ ରାସ୍ତାରୁ ୩୦ ଲିଟର ଦେଶୀ ମଦ ସହ ସେହି ଗ୍ରାମର ଦୁର୍ଗା ଚରଣ ନାୟକ (୫୦)ଙ୍କୁ ଗିରଫ କରାଯାଇଛି।ସମୁଦାୟ ୧୦୦ ଲିଟର ବେଆଇନ ମଦ ଜବତ କରାଯିବା ସହ ଗିରଫ ଦ୍ଵୟଙ୍କ ବିରୋଧରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି। ଅଞ୍ଚଳରେ ବେଆଇନ ମଦ କାରବାର ରୋକିବା ପାଇଁ ଏହିପରି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।



