ଖାକି ପୋଷାକରେ ଦୟାଳୁ ହୃଦୟ: କଳିଙ୍ଗା ଘାଟିରେ ଭୋକିଲା ମାଙ୍କଡ଼ଙ୍କୁ ଆହାର ଦେଲେ ଆଇଆଇସି

ଭଞ୍ଜନଗର (ରଂଜତ ଜେନା )୦୩/୧୦: ଅପରାଧୀଙ୍କ ପାଇଁ ଯେତିକି କଠୋର, ନିରୀହ ପ୍ରାଣୀଙ୍କ ପ୍ରତି ସେତିକି ଦରଦୀ। ଭଞ୍ଜନଗର ଥାନା ଅଧିକାରୀ (ଆଇଆଇସି) ଜୀବନାନନ୍ଦ ଜେନାଙ୍କ ଏଭଳି ଏକ ମାନବୀୟ କାର୍ଯ୍ୟ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଘାଟି ସିଲ୍, ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ରହିଛି। ଏହି କାରଣରୁ ରାସ୍ତାରେ ଯାତାୟାତ କରୁଥିବା ପର୍ଯ୍ୟଟକଙ୍କ ଠାରୁ କିଛି କିଛି ଆହାର ପାଉଥିବା ସ୍ଥାନୀୟ ପାତି ମାଙ୍କଡ଼ମାନେ ଗତ କିଛି ଦିନ ହେବ ଗୁରୁତର ଖାଦ୍ୟା ଭାବର ସମ୍ମୁଖୀନ ହେଉଥିଲେ। ସ୍ଥିତି ପରଖିବା ବେଳେ ବଢ଼ାଇଲେ ସହାୟତାର ହାତ କଳିଙ୍ଗା ଘାଟିର ସ୍ଥିତି ସମୀକ୍ଷା କରିବାକୁ ଯାଇଥିବା ବେଳେ ଭୋକିଲା ମାଙ୍କଡ଼ଙ୍କ ଏହି ଦୁର୍ଦ୍ଦଶା ଦେଖି ଆଇଆଇସି ଶ୍ରୀ ଜେନା ନିଜ ସାଙ୍ଗରେ ଆଣିଥିବା ବିସ୍କୁଟ, କଦଳୀ, ଆପୁଲ ଓ ବିଭିନ୍ନ ପ୍ରକାର ଫଳ ନିଜ ହାତରେ ସେମାନଙ୍କୁ ବାଣ୍ଟିଥିଲେ। ପୋଲିସ ଅଧିକାରୀଙ୍କ ଏହି ଭଲପାଇବା ଦେଖି ନିରୀହ ମାଙ୍କଡ଼ମାନେ ମଧ୍ୟ ନିର୍ଭୟରେ ତାଙ୍କ ପାଖକୁ ଆସି ହାତରୁ ଖାଦ୍ୟ ଗ୍ରହଣ କରିଥିଲେ।ଏହି ମାନବୀୟ ଦୃଶ୍ୟ ଦେଖି ଉପସ୍ଥିତ ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ମଧ୍ୟ ଆନନ୍ଦ ପ୍ରକାଶ କରିବା ସହ ନିଜେ ମାଙ୍କଡ଼ମାନଙ୍କୁ ବିସ୍କୁଟ ଖାଇବାକୁ ଦେଇଥିଲେ।ପ୍ରକୃତି ଓ ପ୍ରାଣୀ ପ୍ରେମର ନିଆରା ନମୁନା ଆଇଆଇସି ଜୀବନାନନ୍ଦ ଜେନାଙ୍କ ପ୍ରକୃତି ପ୍ରେମ ନୂଆ ନୁହେଁ।ଏହାପୂର୍ବରୁ ସେ ଭଞ୍ଜନଗର ଥାନା ପରିସରରେ ୧୦୦ରୁ ଅଧିକ ଫୁଲ ଗଛ ଲଗାଇ ଏକ ସୁନ୍ଦର ଓ ସ୍ୱଚ୍ଛ ପରିବେଶ ଗଢ଼ିତୋଳିଛନ୍ତି।କର୍ତ୍ତବ୍ୟ କ୍ଷେତ୍ରରେ ଅପରାଧ ବିରୋଧରେ ଶୂନ୍ୟ ସହନଶୀଳତା ଆପଣାଉଥିବା ଏହି ଅଧିକାରୀଙ୍କ ମାଙ୍କଡ଼ଙ୍କୁ ଖାଦ୍ୟ ଯୋଗାଇବାର କାର୍ଯ୍ୟ ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ଆତ୍ମୀୟତାକୁ ଆଉ ଗୋଟିଏ ପାହାଚ ଉପରକୁ ନେଇଯାଇଛି।



