ଭଞ୍ଜନଗର ଥାନାରେ ବ୍ୟାପକ ଅଦଳବଦଳ: ୪ ଏଏସଆଇଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭଞ୍ଜନଗର, ୦୩/୧୦ (ଶ୍ରୀ ନ୍ୟୁଜ ପ୍ରତିନିଧି): ଆଗକୁ ଆସୁଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଅଦଳବଦଳ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସ.ପି)ଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ ଦିନ ଧରି ଗୋଟିଏ ଥାନାରେ ଅବସ୍ଥାପିତ ପୋଲିସ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏହି କ୍ରମରେ ଭଞ୍ଜନଗର ଥାନାରେ କାର୍ଯ୍ୟରତ ୪ ଜଣ ସହାୟକ ଉପ-ନିରୀକ୍ଷକ (ଏଏସଆଇ)ଙ୍କୁ ଜିଲ୍ଲାର ବିଭିନ୍ନ ଥାନାକୁ ବଦଳି କରାଯାଇଛି। ବଦଳି ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ଏ ଏସ ଆଇ ସତ୍ୟ ରଞ୍ଜନ ମଲିକଙ୍କୁ ସୋରଡ଼ା, ରୁଦ୍ର ପ୍ରସାଦ କହଁରଙ୍କୁ ତାରସିଂ, ଶରତ ଚନ୍ଦ୍ର ପଣ୍ଡାଙ୍କୁ ଧରାକୋଟ ଏବଂ ବିଦେଶୀ ବେହେରାଙ୍କୁ ଗାଙ୍ଗପୁର ଥାନାକୁ ବଦଳି କରାଯାଇଛି। ଏହି ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଭଞ୍ଜନଗର ଥାନା ପରିସରରେ ଆଇଆଇସି ଜୀବନାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଥିବେ ବେଳେ ବିଦାୟୀ ଅଧିକାରୀମାନେ ଭଞ୍ଜନଗର ଥାନାରେ ଥିବା ସମୟର ସ୍ମୃତି ଓ ଅନୁଭୂତି ବଖାଣିଥିଲେ। ସଭାରେ ଉପସ୍ଥିତ ଏସଆଇ ସମୀର କୁମାର ସେଠୀ, ଏସଆଇ ଲକ୍ଷ୍ମୀଧର ମହାନ୍ତି ଓ ଏସଆଇ ଜ୍ୟୋସ୍ନାମୟୀ ସାହୁ ବିଦାୟୀ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟପରାୟଣତା ଓ ସହଯୋଗୀ ମନୋଭାବର ପ୍ରଶଂସା କରିଥିଲେ। ଥାନା ଅଧିକାରୀ ଶ୍ରୀ ଜେନା ନିଜ ବକ୍ତବ୍ୟରେ ଥାନାର ୪ ଜଣ ଦକ୍ଷ କର୍ମବୀରଙ୍କୁ ହାତଛଡ଼ା କରି ଦୁଃଖ ପ୍ରକାଶ କରିବା ସହ ଏଠାରୁ ପାଇଥିବା ଅନୁଭୂତିକୁ ନୂତନ କର୍ମକ୍ଷେତ୍ରରେ ଲଗାଇ ସଫଳତା ହାସଲ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ସବ୍-ଜଜ୍ କୋର୍ଟର ନୀଳାମ୍ବର ଡିଗାଲଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଭଞ୍ଜନଗର ଥାନାର ସମସ୍ତ କର୍ମଚାରୀ ଓ ପୋଲିସ ଅଫିସର ଉପସ୍ଥିତ ଥିଲେ।



