ଦେଶ ବିଦେଶ

ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ: ୫୦ ଜଣଙ୍କ ମୃତ୍ୟୁ, ଉଦ୍ଧାରକାର୍ଯ୍ୟ ଜାରି

ଶନିବାର ଭୋର ସମୟରେ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରହିଥିଲା। ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୪୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ଏକାଧିକ ବହୁତଳ ପ୍ରାସାଦ, ଗୃହ ଓ ପୋଲ ଧସିପଡ଼ିଛି। ଫଳରେ ଅନେକ ଲୋକ ମାଟି ଓ ଭଙ୍ଗାରୁଜା ସ୍ଲାବ୍ ତଳେ ଫସି ରହିଥିବା ସନ୍ଦେହ କରାଯାଉଛି। ସକାଳ ୫ଟା ୫୮ରେ ଥରିଲା ଧରା:ସ୍ଥାନୀୟ ସମୟ ସକାଳ ୫ଟା ୫୮ ମିନିଟ୍‌ରେ ଜନସାଧାରଣ ଶୋଇଥିବା ସମୟରେ ଏହି ଭୂକମ୍ପ ସଂଘଟିତ ହୋଇଥିଲା। ଇଣ୍ଡୋନେସିଆର ଫ୍ଲୋରେସ୍ ଅଞ୍ଚଳରେ ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ପୂର୍ବ ନୁସା ତେଙ୍ଗାରା ପ୍ରଦେଶର ଏଣ୍ଡେ ସହରଠାରୁ ୬୮ କିଲୋମିଟର ଉତ୍ତର-ଉତ୍ତର ପଶ୍ଚିମରେ ଏହା ସୃଷ୍ଟି ହୋଇଥିଲା। ମୁଖ୍ୟ ଭୂକମ୍ପ ପରେ ମଧ୍ୟ ୨୦୦ରୁ ଉର୍ଦ୍ଧ୍ୱ ପଶ୍ଚାତ୍-ଝଟକା ଅନୁଭୂତ ହୋଇଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି lଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା,ସେନା, ପୋଲିସ ଓ ସ୍ଥାନୀୟ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅଭିଯାନ ଚଳାଇଛନ୍ତି। ଭଙ୍ଗା ଘର ତଳୁ ଜୀବନ୍ତ ଓ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ସ୍ୱତନ୍ତ୍ର ଯନ୍ତ୍ରପାତି ବ୍ୟବହାର କରାଯାଉଛି। ଭୂସ୍ଖଳନ ଯୋଗୁଁ ଅନେକ ପ୍ରମୁଖ ରାସ୍ତା ଓ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ଉଦ୍ଧାରକାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ତଥାପି ହେଲିକପ୍ଟର ଓ ଡଙ୍ଗା ସାହାଯ୍ୟରେ ଦୁର୍ଗମ ଅଞ୍ଚଳକୁ ରିଲିଫ୍ ଓ ମେଡିକାଲ ଦଳ ପଠାଯାଉଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନେକ ସ୍ଥାନରେ ଟେଲିଫୋନ୍ ସେବା ଓ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବିଭିନ୍ନ ଗ୍ରାମାଞ୍ଚଳରୁ ସଠିକ୍ ଆକଳନ ଆସିବା ବାକି ଥିବାରୁ ଏବଂ ଅନେକ ଲୋକ ଏବେ ବି ମାଟି ତଳେ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ଭୂକମ୍ପ ପରେ ପ୍ରାରମ୍ଭିକ ଭାବେ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ପାଇଁ ସୁନାମୀ ସତର୍କତା ଜାରି କରାଯାଇଥିଲା। ପ୍ରାୟ ୨,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ପରବର୍ତ୍ତୀ ସମୟରେ ସମୁଦ୍ର ପତ୍ତନରେ ବଡ଼ ଧରଣର ପରିବର୍ତ୍ତନ ନଦେଖି ସୁନାମୀ ସତର୍କତା ପ୍ରତ୍ୟାହାର କରାଯାଇଥିଲେ ହେଁ ଲୋକଙ୍କୁ ସମୁଦ୍ର କୂଳଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି

Related Articles

Leave a Reply

Your email address will not be published. Required fields are marked *

Back to top button