ହଜାରରୁ ଅଧିକ ଶବଦାହରେ ଥିଲେ ଆଗଧାଡ଼ିରେ, ଆଜି ଚିରନିଦ୍ରାରେ ମେରୀ ଆଚାରୀ

ଜଣେ ପରିଚିତ ମଣିଷଙ୍କୁ ହରାଇ ଶୋକରେ ଭଞ୍ଜନଗର ସହର
ଭଞ୍ଜନଗର -୨/୧୧:- ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ, ସମସ୍ତଙ୍କ ମୁହଁରେ ଥିଲା ତାଙ୍କରି ନାମ। ଭଞ୍ଜନଗର ସହରର ସୁନାରୀ କୁଳର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ମେରୀ ଆଚାରୀଙ୍କ ପରଲୋକ ଖବର ସମଗ୍ର ସହରରେ ଶୋକର ଛାୟା ଖେଳାଇ ଦେଇଛି।
ବୃତ୍ତିରେ ଜଣେ ଟେଲର ଭାବେ ପରିଚିତ ମେରୀ ଆଚାରୀଙ୍କ ବୟସ ପ୍ରାୟ ୭୫ ବର୍ଷ ହୋଇଥିଲା। ଗତକାଲି ହୃଦ୍ରୋଗରେ ଆକ୍ରାନ୍ତ ହୋଇ ସେ ଇହଲୀଳା ସମ୍ବରଣ କରିଛନ୍ତି।
କିନ୍ତୁ ତାଙ୍କର ପରିଚୟ କେବଳ ଜଣେ ଟେଲର ମଧ୍ୟରେ ସୀମିତ ନଥିଲା। ମୃତ୍ୟୁ ପରେ ଅନ୍ତିମ ସଂସ୍କାର ଓ ଶବଦାହ କାର୍ଯ୍ୟରେ ସେ ସବୁବେଳେ ଆଗଧାଡ଼ିରେ ରହି ନିଜର ନିଷ୍ଠା ଓ ସେବା ମନୋଭାବର ପରିଚୟ ଦେଇଥିଲେ। ଜୀବନକାଳ ମଧ୍ୟରେ ଏକ ହଜାରରୁ ଅଧିକ ଶବଦାହ କାର୍ଯ୍ୟରେ ସହଯୋଗ କରି ସେ ଏକ ନିଆରା ମାନବିକତାର ଉଦାହରଣ ସୃଷ୍ଟି କରିଥିଲେ।
ଜାତି, ଧର୍ମ ଓ ବୟସର ଭେଦଭାବ ଭୁଲି ମୃତକଙ୍କ ଶେଷ ଯାତ୍ରାରେ ସାମିଲ ହେବା ଏବଂ ଶୋକସନ୍ତପ୍ତ ପରିବାରକୁ ସହଯୋଗ କରିବା ଥିଲା ତାଙ୍କ ଜୀବନର ଏକ ଉଲ୍ଲେଖନୀୟ ଦିଗ।
ଆଜି ସେ ଆଉ ନାହାନ୍ତି, ହେଲେ ତାଙ୍କର ସେହି ନିଃସ୍ୱାର୍ଥପର ସେବା, ସହଯୋଗ ଓ ମାନବିକତାର ସ୍ମୃତି ସବୁଦିନ ପାଇଁ ଭଞ୍ଜନଗରବାସୀଙ୍କ ହୃଦୟରେ ରହିବ।
ଜଣେ ମଣିଷ ଚାଲିଗଲେ, ହେଲେ ଛାଡ଼ିଗଲେ ଅନେକ ସ୍ମୃତି ଓ ସେବାର ଅମ୍ଳାନ ଛାପ। ତାଙ୍କ ବିୟୋଗରେ ଭଞ୍ଜନଗର ସହରରେ ଗଭୀର ଶୋକ ପ୍ରକାଶ ପାଇଛି



