ଜାଜପୁରରେ ମା’ ବିରଜାଙ୍କ ରଥଯାତ୍ରା ଓ ଦୁର୍ଗାପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ: ଡିଜେ ବ୍ୟବହାର ଉପରେ କଡ଼ା କଟକଣା, ଅବିଚ୍ଛିନ୍ନ ବିଜୁଳି ଓ ପାନୀୟ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ

ଯାଜପୁର , ୬/୧୦ (ଇ.ପ୍ର/ନି.ପ୍ର): ମା’ ବିରଜାଙ୍କ ପବିତ୍ର ରଥଯାତ୍ରା ଏବଂ ଯାଜପୁର ସହରର ଆଗାମୀ ଦୁର୍ଗାପୂଜା ପାର୍ବଣକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ଆନନ୍ଦମୟ ପରିବେଶରେ ପାଳନ କରିବା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂଜା ଓ ଉତ୍ସବ ସମୟରେ ଆଇନଶୃଙ୍ଖଳା ରକ୍ଷା, ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ସାମାଜିକ ସୌହାର୍ଦ୍ଦ୍ୟ ବଜାୟ ରଖିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି।
ବୈଠକରେ ଜିଲ୍ଲାପାଳ ପ୍ରକାଶ କରିଥିଲେ ଯେ, ଡିଜେ ଓ ଉଚ୍ଚଶବ୍ଦ ସାଉଣ୍ଡ ସିଷ୍ଟମ୍ ଯୋଗୁଁ ବୃଦ୍ଧବୃଦ୍ଧା, ରୋଗୀ ଓ ସାଧାରଣ ନାଗରିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ନିୟମ ଓ ଶବ୍ଦସୀମା କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ଅପିଲ୍ କରିଛନ୍ତି। ସ୍ୱତଃପ୍ରବୃତ୍ତ ସଂଯମ ଓ ଶୃଙ୍ଖଳା ହିଁ ଉତ୍ସବକୁ ସୁଚାରୁ ଭାବେ ସମ୍ପାଦନ କରିବାର ସର୍ବୋତ୍ତମ ମାର୍ଗ ବୋଲି ଦର୍ଶାଇ ସେ ସମସ୍ତ ପୂଜା କମିଟିର ସହଯୋଗ କାମନା କରିଥିଲେ।
ପୂଜା ସମୟରେ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ନିମ୍ନଲିଖିତ ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରାଯାଇଛି:
ରାସ୍ତାଘାଟ ମରାମତି ଓ ସୁରକ୍ଷା: ସହରର ମୁଖ୍ୟ ରାସ୍ତା ଓ ଗଳିରାସ୍ତାଗୁଡ଼ିକର ଖାଲଖମା ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ରାସ୍ତାକୁ ଓହଳି ରହିଥିବା ଏବଂ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସୁଥିବା ଗଛର ଡାଳଗୁଡ଼ିକୁ ଛେଦନ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ପୂଜା ଦିନଗୁଡ଼ିକରେ ଅବିଚ୍ଛିନ୍ନ ବିଦ୍ୟୁତ୍ ସରବରାହ ସୁନିଶ୍ଚିତ କରାଯିବ। ଏହାସହ ମଣ୍ଡପ ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ବ୍ୟବସ୍ଥା କରାଯିବ।
ସୋସିଆଲ ମିଡିଆରେ ସୀଧାପ୍ରସାରଣ: ଦୂରଦୂରାନ୍ତର ଶ୍ରଦ୍ଧାଳୁଙ୍କ ପାଇଁ ମା’ ବିରଜାଙ୍କ ନବରାତ୍ରି ସମୟର ପ୍ରତିଦିନର ସ୍ୱତନ୍ତ୍ର ବେଶ ଓ ପୂଜାରାଧନାକୁ ପ୍ରଶାସନିକ ସୋସିଆଲ ମିଡିଆ ମାଧ୍ୟମରେ ସୀଧାପ୍ରସାରଣ କରାଯିବ।
ରଥଟଣା ଓ ଟ୍ରାଫିକ ପରିଚାଳନା: ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ବାରା ପ୍ରଦତ୍ତ କାର୍ଯ୍ୟସାରଣୀ ମୁତାବକ ମା’ ବିରଜାଙ୍କ ରଥଟଣା ସମ୍ପନ୍ନ ହେବ ବୋଲି ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ଜଣାଇଛନ୍ତି। ଉତ୍ସବ ସମୟରେ ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପୋଲିସ ବଳ ମୁତୟନ କରାଯିବ।
ଭସାଣି ସମୟରେ ବିସର୍ଜନ ସ୍ଥଳୀରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ସହ ଫାୟାର ବ୍ରିଗେଡ୍ ମୁତୟନ ରହିବେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭସାଣୀ ଉତ୍ସବ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବାକୁ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯିବା ସହ ଉଚ୍ଚଶବ୍ଦବିଶିଷ୍ଟ ଡିଜେ ବ୍ୟବହାର ଉପରେ କଡ଼ା କଟକଣା ଜାରି କରାଯାଇଛି।



