ଓଡିଶା

ଆସିକା ପୋଲିସ ର ବଡ଼ କାର୍ଯ୍ୟାନୁଷ୍ଠାନ, ସୁଧ ବେପାରି ଗିରଫ; ଜବତ ହେଲା ୧୭ ବାଇକ୍, ୧୮ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ

ଆସିକା ୨୭/୦୬(ଶ୍ରୀ ନ୍ୟୁଜ):ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ମିଳିଛି ବଡ଼ ସଫଳତା । ଅଞ୍ଚଳରେ ଦୀର୍ଘ ଦିନ ଧରି ସୁଧ କାରବାର କରି ଲୋକଙ୍କୁ ହଇରାଣ କରୁଥିବା ଜଣେ ସୁଧ ବେପାରିଙ୍କୁ ଗିରଫ କରିଛି ଆସିକା ପୋଲିସ । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ମାମୁଁଡିହ ଗ୍ରାମର ଲକ୍ଷ୍ମଣ ପାଣି ।ସୂଚନା ଅନୁସାରେ, ଲକ୍ଷ୍ମଣ ପାଣି ଦୀର୍ଘ ବର୍ଷ ଧରି ନିଜ ଅଞ୍ଚଳରେ ସୁଧ କାରବାର କରି ଆସୁଥିଲେ । ଲୋକଙ୍କୁ ଆବଶ୍ୟକ ସମୟରେ କମ ଟଙ୍କା ଦେଇ ପରେ ଅଧିକ ସୁଧ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଏଥିସହ ଅନେକ ଲୋକଙ୍କ ଘର, ଜମିବାଡ଼ି କାଗଜପତ୍ର, ଗାଡ଼ି ଓ ମୋବାଇଲ ଫୋନ ବନ୍ଧକ ରଖି ହଇରାଣ କରୁଥିବା ଅଭିଯୋଗ ପୋଲିସ ନିକଟରେ ପହଞ୍ଚିଥିଲା ।ଅଭିଯୋଗ ପାଇବା ପରେ ଆସିକା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ଲକ୍ଷ୍ମଣ ପାଣିଙ୍କୁ ଗିରଫ କରି ତାଙ୍କ ଠାରୁ ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି ।ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୭ଟି ମୋଟର ସାଇକେଲ, ୧୮ଟି ମୋବାଇଲ ଫୋନ, ୩୧ ହଜାର ଟଙ୍କା ନଗଦ, ୨୫ଟି ଡ୍ରାଇଭିଂ ଲାଇସେନ୍ସ, ୧୦ଟି ଏଟିଏମ କାର୍ଡ ଓ ଗୋଟିଏ ଡାଏରୀ । ଏହି ଡାଏରୀରୁ ସୁଧ କାରବାର ସମ୍ପର୍କିତ ଅନେକ ତଥ୍ୟ ମିଳିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।ଏହି ଘଟଣା ସମ୍ପର୍କରେ ଆସିକା ଏସଡିପିଓ ସୂଚନା ଦେଇ କହିଛନ୍ତି ଯେ, ଅଭିଯୋଗ ଆଧାରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଗକୁ ମଧ୍ୟ ଏଭଳି ବେଆଇନ ସୁଧ କାରବାର ବିରୋଧରେ ପୋଲିସର ଅଭିଯାନ ଜାରି ରହିବ

Related Articles

Leave a Reply

Your email address will not be published. Required fields are marked *

Back to top button