ସ୍ତ୍ରୀ କୁ ଫେରିପାଇବା ପାଇଁ ଦେଇଥିଲା ନର ବଳି: ଅନ୍ଧବିଶ୍ୱାସର କରୁଣ ପରିଣତି

ବଲାଙ୍ଗୀର (ଦେଓଗାଁ) ୨୧/୦୮ :ଆଧୁନିକ ସମାଜରେ ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଅନ୍ଧବିଶ୍ୱାସର କରାଳ ଛାୟା ଏବେ ବି ମଣିଷ ସମାଜକୁ କଳଙ୍କିତ କରୁଛି। ସ୍ତ୍ରୀକୁ ଫେରିପାଇବା ପାଇଁ ଜଣେ ବ୍ୟକ୍ତି ନରବଳି ଭଳି ଏକ ସଂଘାତିକ ଓ ବର୍ବର କାଣ୍ଡ ଭିଆଇଥିବା ସାମ୍ନାକୁ ଆସିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତଙ୍କ ସ୍ତ୍ରୀ କିଛି ମାସ ପୂର୍ବରୁ ତାଙ୍କୁ ଛାଡ଼ି ପଳାଇଥିଲେ। ସ୍ତ୍ରୀକୁ ପ୍ରାଣ ଅପେକ୍ଷା ଅଧିକ ଭଲ ପାଉଥିବା ଅଭିଯୁକ୍ତ ଜଣକ ତାଙ୍କୁ ଫେରାଇ ଆଣିବା ପାଇଁ ସବୁ ପ୍ରକାର ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ସେ ଜଣେ ଭଣ୍ଡ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିଥିଲେ। ଭଣ୍ଡ ତାନ୍ତ୍ରିକଙ୍କ କହିବାନୁସାରେ,ଯଦି ଜଣେ ନିଷ୍ପାପ ବ୍ୟକ୍ତିଙ୍କର ବଳି ଦିଆଯାଏ, ତେବେ ତାଙ୍କ ସ୍ତ୍ରୀ ନିଶ୍ଚିତ ଭାବେ ଫେରିଆସିବେ । ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳକକୁ ଅତି ନିର୍ମମ ଭାବେ ହତ୍ୟା କରି ବଳି ଚଢ଼ାଇଥିଲେ। ନାବାଳକ ଜଣକ ନିଖୋଜ ହେବା ପରେ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ଗିରଫ କରି ପଚରାଉଚରା କରିଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ୱୀକାର କରିବା ସହ ସ୍ତ୍ରୀକୁଫେରିପାଇବା ପାଇଁ ସେ ଏଭଳି କରିଥିବା ପ୍ରକାଶ କରିଛନ୍ତି।ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଭଣ୍ଡ ତାନ୍ତ୍ରିକ ଓ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ, ଅନ୍ଧବିଶ୍ୱାସ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।



