ଓଡିଶା

​ପ୍ରେମ ସାଜିଲା କାଳ: ଛୁରାମାଡ଼ରେ ପ୍ରେମିକାର ମୃତ୍ୟୁ,

ବେଲଗୁଣ୍ଠା,୨୩/୦୮,–ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଥାନା ଅଞ୍ଚଳର ନାହାଡ଼ା ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବତୀଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଥିବା ଅଭିଯୋଗରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଯୁବତୀ ହେଲେ ମିନତି ପ୍ରଧାନ (୨୭)। ଘଟଣାରେ ଅଭିଯୁକ୍ତ ପ୍ରେମିକ ସୁଜିତ୍ ବିଶ୍ୱାଳ (୩୭) ଗାଙ୍ଗପୁର ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ, ପ୍ରାୟ ୧୧ ବର୍ଷ ତଳେ ସୁଜିତ୍ ଓ ମିନତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପ୍ରାୟ ୧୦ ବର୍ଷ ତଳେ ଉଭୟେ ଘର ଛାଡ଼ି ଚାଲିଯାଇଥିଲେ। ପରେ ପ୍ରାୟ ଦେଢ଼ ବର୍ଷ ପରେ ଘରକୁ ଫେରିଥିଲେ। ସେତେବେଳେ ମିନତିଙ୍କ ବିବାହ ବୟସ ହୋଇନଥିବାରୁ ସୁଜିତଙ୍କ ପରିବାର ପକ୍ଷରୁ ତାଙ୍କୁ ଗ୍ରହଣ କରାଯାଇନଥିଲା ଏବଂ ବିବାହ ବୟସ ପରେ ବିବାହ କରାଯିବ କୁହାଯାଇଥିବା ଜଣାପଡ଼ିଛି।ଏହାପରେ ସୁଜିତ୍ ସୁରତ ଚାଲିଯାଇଥିଲେ। ସେଠାରେ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ସେ ଦଣ୍ଡ ଭୋଗିଥିବା ମଧ୍ୟ ସୂଚନା ମିଳିଛି। ନିକଟରେ ସେ ଗାଁକୁ ଫେରି ମିନତିଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ମିନତି ତାଙ୍କୁ ହତ୍ୟା ମାମଲାରେ ଦଣ୍ଡିତ ବ୍ୟକ୍ତି ବୋଲି କହି ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ଏହାକୁ ନେଇ ସୁଜିତ୍ ଉତ୍‌କ୍ଷିପ୍ତ ହୋଇ ପ୍ରତିଶୋଧପରାୟଣ ହୋଇଥିଲା।ଆଜି ମିନତିଙ୍କ ବାପା ଜମିକୁ ଯାଇଥିବା ବେଳେ ମିନତି ଗାଁରେ ଥିବା ତାଙ୍କ ମାମୁଁ ଘରେ ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ରହିଥିଲେ। ପରେ ନିଜ ଘରକୁ ଫେରିବା ପରେ ସୁଜିତ୍ ଘରେ ପଶି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଏଥିରେ ମିନତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ମିନତିଙ୍କ ବାପା ଜମିରୁ ଘରକୁ ଫେରି ଝିଅର ମୃତଦେହ ଦେଖି ଗାଙ୍ଗପୁର ଥାନାକୁ ଖବର ଦେଇଥିଲେ। ଘଟଣା ପରେ ଅଭିଯୁକ୍ତ ସୁଜିତ୍ ଗାଙ୍ଗପୁର ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ୍ ତାଙ୍କୁ ଗିରଫ କରିଛି।ଖବର ଲେଖାଯିବା ବେଳକୁ ମିନତିଙ୍କ ମୃତଦେହ ଘରେ ରହିଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ମୃତଦେହକୁ ଜଗି ରହିଛି। ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଆସି ତଦନ୍ତ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ଗାଙ୍ଗପୁର ପୋଲିସ୍ ତଦନ୍ତ ଜାରି ରଖିଛି।

ବେଲଗୁଣ୍ଠା ରୁ ଶିବରାମ ଚୌଧୁରୀ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button