ବୋଲଗଡ଼ରେ ନଶାମୁକ୍ତ ଭାରତ ଅଭିଯାନ: ୩୧୬ ଛାତ୍ରଛାତ୍ରୀଙ୍କୁ ନିଶା ବିରୋଧୀ ସଚେତନତା

ଖୋର୍ଦ୍ଧା, ୨୪।୦୮ (ମହମ୍ମଦ ଫଜଲୁର ରହମାନ): ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବରୁ ଦୂରେଇ ରଖିବା ଏବଂ ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ବୋଲଗଡ଼ ପୋଲିସ ପକ୍ଷରୁ ନିଶା ବିରୋଧୀ ସଚେତନତା ଅଭିଯାନ ଆୟୋଜିତ ହୋଇଛି। ନଶାମୁକ୍ତ ଭାରତ ଅଭିଯାନ ଅଧୀନରେ ବୋଲଗଡ଼ ଥାନା ପକ୍ଷରୁ ସାଗରଗାଁ ହାଇସ୍କୁଲ୍ ଏବଂ ବାଙ୍କୋଇ ସରକାରୀ ବିଦ୍ୟାଳୟରେ ଏହି ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କୁ ନିଶା ସେବନର କୁପ୍ରଭାବ, ନିଶାସକ୍ତିର ଭୟାବହ ପରିଣାମ ଏବଂ ଏହାର ସାମାଜିକ ପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା। ପୋଲିସ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହ ଖରାପ ସଙ୍ଗତିକୁ ଏଡ଼ାଇବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ସୁସ୍ଥ ଜୀବନଶୈଳୀ ଆପଣାଇବା, ଶିକ୍ଷା ଓ ଖେଳକୁଦରେ ଧ୍ୟାନ ଦେବା ଏବଂ ଜଣେ ଦାୟିତ୍ୱବାନ ନାଗରିକ ଭାବେ ନିଜ ଭବିଷ୍ୟତ ଗଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପୋଲିସ ପକ୍ଷରୁ ପ୍ରେରିତ କରାଯାଇଥିଲା । ଏହି ଦୁଇଟି ବିଦ୍ୟାଳୟରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମୋଟ ୩୧୬ ଜଣ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ।ଯୁବପିଢ଼ିଙ୍କ ମଧ୍ୟରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା ସହ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ଦିଗରେ ବୋଲଗଡ଼ ଥାନା ଏବଂ ଖୋର୍ଦ୍ଧା ପୋଲିସର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି।



