ଅଜଣା କାର ଧକ୍କାରେ ଯୁକ୍ତ ତିନି ଛାତ୍ରୀ ଗୁରୁତର; ନୟାଗଡ଼ ସ୍ଥାନାନ୍ତର

ନୟାଗଡ ୨୪/୦୮:ଓଡ଼ଗାଁ ଏଏସି ବ୍ଲକ ରୋଡ୍ରେ ଆଜି ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। କଲେଜରୁ ଘରକୁ ଫେରୁଥିବା ବେଳେ ଏକ ଅଜଣା କାର୍ ଧକ୍କାରେ ଜଣେ ୧୯ ବର୍ଷୀୟା ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରୀ ଜଣକ ହେଲେ ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ନିକଟସ୍ଥ ଗନ୍ଧବାରଣ ଗ୍ରାମର ଯୋଗେନ୍ଦ୍ର ସାହୁଙ୍କ ଝିଅ ସୁନୀତା ସାହୁ ସୂଚନାଯୋଗ୍ୟ ଯେ, ସୁନୀତା କୁରାଳସ୍ଥିତ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ପାଠପଢ଼ା ସାରି ଫେରୁଥିଲେ। ଓଡ଼ଗାଁ ବ୍ଲକ ଛକରେ ଓହ୍ଲାଇବା ପରେ ସେଠାରୁ ଚାଲିଚାଲି ବ୍ଲକ ଆଡ଼େ ଥିବା ନିଜ ବାପା-ମା’ଙ୍କ ଭଡ଼ାଘରକୁ ଯାଉଥିବା ସମୟରେ ପଛପଟୁ ଏକ ଦ୍ରୁତଗାମୀ କାର୍ ତାଙ୍କୁ ସୋରରେ ଧକ୍କା ଦେଇଥିଲା। ଧକ୍କା ଫଳରେ ସୁନୀତା ରାସ୍ତା ଉପରେ ପଡ଼ି ଅଚେତ ହୋଇପଡ଼ିଥିଲେ। ଦୁର୍ଘଟଣା ଘଟାଇବା ପରେ କାର୍ଟି ଘଟଣାସ୍ଥଳରୁ ଦ୍ରୁତ ଗତିରେ ଫେରାର୍ ହୋଇଯାଇଛି।ଖବର ପାଇ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସୁନୀତାଙ୍କୁ ଉଦ୍ଧାର କରି ଓଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।



