ଓଡିଶା

ସୀମା ଜଗୁଆଳିଙ୍କ ହାତରେ ସ୍ନେହର ଡୋରି: ୮ମ ବାହିନୀ ଯବାନଙ୍କ ସହ ରକ୍ଷାବନ୍ଧନ ମନାଇଲେ ଶ୍ରୀ ନ୍ୟୁଜ୍ ଓ କବି ସମ୍ରାଟ ମିଡ଼ିଆ କ୍ଲବ୍‌ର କୁନିକୁନି ପିଲା

​ଭଞ୍ଜନଗର / ଫୁଲବାଣୀ [ରଂଜିତ ଜେନା ]:ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଦେଶର ସୁରକ୍ଷାରେ ନିୟୋଜିତ ବୀର ଯବାନଙ୍କ ପାଇଁ ଦେଖିବାକୁ ମିଳିଛି ଏକ ଭାବପୂର୍ଣ୍ଣ ଓ ସ୍ନେହଭରା ପରିବେଶ। ସୀମାରେ ଦେଶ ମାତୃକାର ସୁରକ୍ଷା ପାଇଁ ନିଜ ପରିବାରଠାରୁ ଦୂରରେ ରହୁଥିବା ୮ମ ବାହିନୀର ଯବାନମାନଙ୍କ ସହ ରକ୍ଷାବନ୍ଧନ ପର୍ବ ପାଳନ କରିଛନ୍ତି ‘ଶ୍ରୀ ନ୍ୟୁଜ୍’ ଏବଂ ‘କବି ସମ୍ରାଟ ମିଡ଼ିଆ କ୍ଲବ୍’ର କୁନିକୁନି ଭଉଣୀମାନେ। ‘ଶ୍ରୀ ନ୍ୟୁଜ୍’ ଓ ‘କବି ସମ୍ରାଟ ମିଡ଼ିଆ କ୍ଲବ୍’ର ମିଳିତ ଆନୁକୂଲ୍ୟରେ କୁନିକୁନି ଝିଅମାନେ ୮ମ ବାହିନୀର କ୍ୟାମ୍ପରେ ପହଞ୍ଚି ଯବାନମାନଙ୍କ କାନ୍ଦିରେ ସ୍ନେହ ଓ ଆଶୀର୍ବାଦର ସୂତା-ଡୋରି (ରାକ୍ଷୀ) ବାନ୍ଧିଥିଲେ। ଭଉଣୀମାନେ ଯବାନମାନଙ୍କ ମାଥାରେ ତିଲକ ଲଗାଇ, ଆରତି କରି ସେମାନଙ୍କର ଦୀର୍ଘାୟୁ ଓ ସୁରକ୍ଷା କାମନା କରିଥିଲେ। ନିଜ ଭଉଣୀଠାରୁ ଦୂରରେ ଥିବା ଯବାନମାନେ କୁନିକୁନି ଝିଅମାନଙ୍କଠାରୁ ରାକ୍ଷୀ ପାଇ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ। କୁନି ଭଉଣୀଙ୍କ ଏହି ଭଲପାଇବା ସେମାନଙ୍କୁ ନିଜ ଘର ଓ ପରିବାରର ଅଭାବ ଅନୁଭବ କରିବାକୁ ଦେଇନଥିଲା। ଯବାନମାନେ ମଧ୍ୟ କୁନି ଭଉଣୀମାନଙ୍କୁ ସ୍ନେହପୂର୍ଣ୍ଣ ଉପହାର ଦେବା ସହ ଜୀବନସାରା ସେମାନଙ୍କ ସୁରକ୍ଷା ଓ ଦେଶର ସେବା କରିବାର ସଙ୍କଳ୍ପ ଦୋହରାଇଥିଲେ।’ଶ୍ରୀ ନ୍ୟୁଜ୍’ଓ’କବି ସମ୍ରାଟ ମିଡ଼ିଆ କ୍ଲବ୍’ର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ଯେ,”ଯେଉଁ ବୀର ଯବାନମାନେ ଦିନରାତି ଆମ ସୁରକ୍ଷା ପାଇଁ ପାହାରା ଦେଉଛନ୍ତି, ସେମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।”ଏହି କାର୍ଯ୍ୟକ୍ରମରେ ୮ମ ବାହିନୀର ଦୁର୍ଗପତି-ସୁଧାକର ମିଶ୍ର,ସହ-ଦୁର୍ଗପତି:-ସାଫାଖାଟ ଖାନ,ଏ ବିଘ୍ନଶ୍ଵର ରାଓ, ଅମରେଟ କୁମାର ଛତ୍ରିଆ, ଏବଂ ସମସ୍ତ ଅଧିକାରୀ ଓ କର୍ମଚାରି ବୃନ୍ଦ ଉପସ୍ଥିତ ଥିଲେ, ଶ୍ରୀ ନ୍ୟୁଜ୍‌ର ମୁଖ୍ୟ ସମ୍ପାଦକ ଦୁର୍ଗାମାଧବ ଆଚାରୀ ଓ ଗଞ୍ଜାମ ପ୍ରତିନିଧି ରଂଜିତ ଜେନା ଏବଂ କବି ସମ୍ରାଟ ମିଡ଼ିଆ କ୍ଲବ୍‌ର ସଭାପତି ପ୍ରଦୀପ ସ୍ୱାଇଁ ଉପସଭାପତି ସୁନୀଲ କୁମାର କର ସମ୍ପାଦକ ଚିନ୍ମୟୀ ଵେବର୍ତ୍ତ ସହ ସମ୍ପାଦକ ଆଶିଷ ଗୌଡ଼ ରଂଜିତ ଜେନା ଏବଂ ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଏହି ଆନନ୍ଦଦାୟକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ। ଏହି ଭାବପୂର୍ଣ୍ଣ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button