ଗଞ୍ଜେଇ ଚୋରା ଚାଲାଣ ରୋକିଲା ଭଞ୍ଜନଗର ପୋଲିସ: ୨୪ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ସହ ୨ ଗିରଫ

ଭଞ୍ଜନଗର (ଖବର ସେବା): ଗଞ୍ଜେଇ ଚୋରା ଚାଲାଣ ଉପରେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ବୁଧବାର ସକାଳେ ଚାଲିଥିବା ପାଟ୍ରୋଲିଂ ସମୟରେ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ବୁଧବାର ସକାଳେ ଭଞ୍ଜନଗର ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ସ୍ୱପ୍ନେଶ୍ୱର ଓ ମା’ ସୋରାଦେବୀ ମନ୍ଦିର ଛକ ନିକଟରେ କଡ଼ା ପାଟ୍ରୋଲିଂ ଏବଂ ବ୍ଲକିଂ ଚାଲିଥିଲା। ଏହି ସମୟରେ ଏକ କଳା ଓ ଲାଲ ରଙ୍ଗର ମୋଟରସାଇକେଲରେ ଦୁଇଜଣ ବ୍ୟକ୍ତି ସନ୍ଦେହଜନକ ଭାବେ ଯାଉଥିବା ଦେଖି ପୋଲିସ ସେମାନଙ୍କୁ ଅଟକାଇଥିଲା। ଗାଡ଼ି ଯାଞ୍ଚ ବେଳେ ଏକ ସବୁଜ ରଙ୍ଗର ଜରି ବ୍ୟାଗରୁ ୨୪ କେଜି ୭୯୦ ଗ୍ରାମ ଗଞ୍ଜେଇ ବାହାରିଥିଲା। ଗଞ୍ଜେଇ: ୨୪ କେଜି ୭୯୦ ଗ୍ରାମ
ଗାଡ଼ି: ଗୋଟିଏ କଳା-ଲାଲ ରଙ୍ଗର ମୋଟରସାଇକେଲ
ନଗଦ ଟଙ୍କା: ୧,୧୦୦ ଟଙ୍କା ଅଭିଯୁକ୍ତମାନେ ହେଲେ ୧. ରମେଶ କୁମାର ମହାନ୍ତି (୨୬) – ପିତା: ଲୋକନାଥ ମହାନ୍ତି, ଗ୍ରାମ: କେନ୍ଦୁପଲ୍ଲୀ, ଥାନା: ବେଗୁନିଆ (ଖୋର୍ଦ୍ଧା) ୨. ସତ୍ୟନାରାୟଣ ଗୁରୁ (୪୨) – ପିତା: ସ୍ୱର୍ଗତ ଚନ୍ଦ୍ରଶେଖର ଗୁରୁ, ଗ୍ରାମ: କଣ୍ଟାପଡ଼ା, ଥାନା: ବେଗୁନିଆ (ଖୋର୍ଦ୍ଧା)ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ ଏହି ଗଞ୍ଜେଇକୁ ଅଜଣା ଗ୍ରାହକଙ୍କୁ ବିକ୍ରି କରିବା ପାଇଁ ନେଉଥିବା ସ୍ୱୀକାର କରିଛନ୍ତି। ଏହି ମାମଲାରେ ଭଞ୍ଜନଗର ଥାନାରେ କେସ୍ ନମ୍ବର ୯୦୯/୨୬ ରୁଜୁ କରାଯାଇଛି। ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ଅବିନାଶ ମହାର ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିଲେ। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।



