ଦେଶ ବିଦେଶ

ନେପାଳରେ ପ୍ରଳୟଙ୍କରୀ ବନ୍ୟାର ଭୟାବହତା: ଗୋଟିଏ ସୂତ୍ରରୁ ମିଳିଲା ୨୪ ଶବ, ଗୋଟିଏ ଘର ପାଲଟିଗଲା ଶ୍ମଶାନ

:କାଠମାଣ୍ଡୁ,୧ ସେପ୍ଟେମ୍ବର:ନେପାଳରେ ପ୍ରକୃତିର ତାଣ୍ଡବ ରୂପ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ନିକଟରେ ଚୀନ-ନେପାଳ ସୀମାରେ ଗ୍ଲେସିୟର ଭୁଶୁଡ଼ିବା ଯୋଗୁଁ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି। ନେପାଳର ନୁୱାକୋଟ୍ ଜିଲ୍ଲା ଅନ୍ତର୍ଗତ ବିଦୁର ପୌରପାଳିକା-୧୦ ର ବେତ୍ରାବତୀ ଅଞ୍ଚଳରୁ ଏକ ଅତି ସଂବେଦନଶୀଳ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ମାତ୍ର ବଡ଼ ଘର (ଉତ୍ତରଗୟା ମିନି ମାର୍ଟ ବିଲ୍ଡିଂ) ଭିତରୁ ୨୪ ଗୋଟି ମୃତଦେହ ଉଦ୍ଧାର କରାଯାଇଛି।ସ୍ଥାନୀୟ ପୋଲିସ ଏବଂ ସେନାବାହିନୀର ସୂଚନା ଅନୁଯାୟୀ, ବନ୍ୟା ଏବଂ ପ୍ରବଳ କାଦୁଅ ସ୍ରୋତ ମାଡ଼ିଆସିବା ସମୟରେ ନିଜ ଜୀବନ ବଞ୍ଚାଇବା ପାଇଁ ଲୋକେ ଏହି ବିଲ୍ଡିଂର ଉପର ମହଲାରେ ଆଶ୍ରୟ ନେଇଥିଲେ। କିନ୍ତୁ ପ୍ରକୃତିର କରାଳ ରୂପ ଆଗରେ ସେମାନଙ୍କର ସବୁ ଚେଷ୍ଟା ବିଫଳ ହୋଇଥିଲା। କାଦୁଅର ମୋଟା ଆସ୍ତରଣ ଭିତରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଉଦ୍ଧାର ହୋଇଥିବା ଶବଗୁଡ଼ିକ ମଧ୍ୟରେ ୧୩ ଜଣ ମହିଳା, ୧୦ ଜଣ ପୁରୁଷ ଏବଂ ଜଣେ ଛୋଟ ଶିଶୁ ସାମିଲ ଅଛନ୍ତି। ଉଦ୍ଧାରକାରୀ ଦଳ ଯେତେବେଳେ କାଦୁଅ ହଟାଇ ଘର ଭିତରକୁ ପ୍ରବେଶ କରିଥିଲେ, ସେଠାରେ ଜଣେ ମା’ ନିଜ କୋଳରେ ଶିଶୁ କନ୍ୟାକୁ ଜାବୁଡ଼ି ଧରିଥିବା ଅବସ୍ଥାରେ ମୃତଦେହ ମିଳିଥିଲା, ଯାହା ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା।ନୁୱାକୋଟ୍ ଜିଲ୍ଲା ପୋଲିସ ମୁଖ୍ୟ ବିପିନ ରେଗମୀ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ଏବଂ ଡିଏନ୍ଏ ସାମ୍ପଲିଂ ପାଇଁ ହେଲିକପ୍ଟର ଯୋଗେ କାଠମାଣ୍ଡୁ ପଠାଯାଉଛି। ମୃତଦେହଗୁଡ଼ିକ ବିକୃତ ହୋଇଯାଇଥିବାରୁ ସେମାନଙ୍କର ଚିହ୍ନଟ ପ୍ରକ୍ରିୟା କଷ୍ଟକର ହୋଇପଡ଼ିଛି। ଏହି ଘର ଏବଂ ଏହାର ଆଖପାଖ ଅଞ୍ଚଳରେ ଏବେ ବି ଅନେକ ଲୋକ ପୋତି ହୋଇ ରହିଥିବା ଆଶଙ୍କା କରି ସେନା, ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନା ଯୋଗ୍ୟ ଯେ, ଚଳିତ ବନ୍ୟାରେ ନେପାଳରେ ଏପର୍ଯ୍ୟନ୍ତ ୧,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି ଏବଂ ୪,୦୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବିଭିନ୍ନ ଜଳବିଦ୍ୟୁତ ପ୍ରକଳ୍ପର ଟନେଲ୍ ଏବଂ ଭୁଶୁଡ଼ି ପଡ଼ିଥିବା ଘରଗୁଡ଼ିକରୁ କ୍ରମାଗତ ଭାବେ ଶବ ବାହାରୁଛି। ସରକାରଙ୍କ ପକ୍ଷରୁ ବ୍ୟାପକ ଉଦ୍ଧାର ଓ ସହାୟତା କାର୍ଯ୍ୟ କରାଯାଉଥିଲେ ବି ସ୍ଥିତି ଅତି ସଂଗୀନ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button