ଧାମନଗରରେ ଚମତ୍କାର: ତାଳଗଛ ଧରି ବେକେ ପାଣିରେ ବିତିଲା ୪ ଦିନ, ମୃତ୍ୟୁକୁ ଜିତି ଫେରିଲେ ସନାତନ!

(ଧାମନଗର)୧୮/୦୮:ଜଳ ପ୍ରଳୟ ଭିତରେ ଜୀବନର ଅସାଧାରଣ ସଂଗ୍ରାମ। ଚାରିଆଡ଼େ ବୋବାସ୍ୱର, ଗର୍ଜୁଛି ବନ୍ୟା ଜଳ। ଏସବୁ ଭିତରେ ଛାତିପଟା ସାହସ ଦେଖାଇ ମୃତ୍ୟୁ ମୁଖରୁ ଫେରିଆସିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ସନାତନ। ପ୍ରବଳ ବନ୍ୟା ସ୍ରୋତରେ ଭାସିଯିବା ପରେ ଏକ ତାଳଗଛକୁ ଆଶ୍ରୟ କରି ବେକ ପାଣିରେ ଲଗାତାର ୪ ଦିନ ୪ ରାତି ବିତାଇବା ପରେ ଶେଷରେ ତାଙ୍କୁ ଉଦ୍ଧାର କରାଯାଇଛି।କେମିତି ଥିଲା ଘଟଣା ଗତ କିଛି ଦିନ ହେବ ବୈତରଣୀ ଓ କୋଚିଳା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଧାମନଗର ଅଞ୍ଚଳରେ ଜଳପ୍ରଳୟ ସୃଷ୍ଟି ହୋଇଛି। ପ୍ରବଳ ସ୍ରୋତରେ ସନାତନ ନିଜ ଘର ଆଡ଼କୁ ଯାଉଥିବା ସମୟରେ ପାଣିର ଭାସି ଯାଇଥିଲେ। ନିକଟରେ ଥିବା ଏକ ଉଚ୍ଚ ତାଳଗଛକୁ ଆଙ୍କଡ଼ି ଧରି ସେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କ୍ରମାଗତ ୯୬ ଘଣ୍ଟା ଧରି ବିନା ଆହାର, ବିନା ପାନୀୟ ଜଳରେ ସେ ବେକ ପାଣିରେ ଛିଡ଼ା ହୋଇ ରହିଥିଲେ। ଛାତି ଥରାଇ ଦେଉଥିବା ପାଣିର ଶବ୍ଦ ଓ ଅନ୍ଧକାର ରାତି ଭିତରେ ବି ସେ ଆଶା ଛାଡ଼ି ନଥିଲେ। ବନ୍ୟା ପାଣିର ବେଗ ଏତେ ଅଧିକ ଥିଲା ଯେ ସାମାନ୍ୟ ଅସାବଧାନତା ଜୀବନ ନେଇଯାଇଥାନ୍ତା,କିନ୍ତୁ ସନାତନ ତାଳଗଛକୁ ଜାବୁଡ଼ି ଧରି ରହିଥିଲେ।୪ର୍ଥ ଦିନରେ ବନ୍ୟା ଜଳ ସାମାନ୍ୟ ହ୍ରାସ ପାଇବା ପରେ ସ୍ଥାନୀୟ ଯୁବକ ଓ ଉଦ୍ଧାରକାରୀ ଦଳ ନୌକା ସାହାଯ୍ୟରେ ସେହି ବାଟ ଦେଇ ଯାଉଥିବା ବେଳେ ସନାତନଙ୍କୁ ଦେଖିବାକୁ ପାଇଥିଲେ। ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛିଡାକ୍ତରଙ୍କ କହିବା ଅନୁସାରେ ,ଦୀର୍ଘ ସମୟ ପାଣିରେ ରହିବା ଯୋଗୁଁ ଶରୀର ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି, କିନ୍ତୁ ତାଙ୍କର ମାନସିକ ବଳ ଓ ସାହସ ଯୋଗୁଁ ସେ ଆଜି ଜୀବିତ ଅଛନ୍ତି। ଏହି ଘଟଣା ଏବେ ସାରା ଧାମନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ଲୋକେ ସନାତନଙ୍କ ଏହି ଅଦମ୍ୟ ସାହସକୁ ସଲାମ ଜଣାଉଛନ୍ତି।



