ପୁରୁଣା ବଜାର ସାହି ଗଣେଶ ପୂଜା କମିଟି’ ପକ୍ଷରୁ ଚଳିତ ବର୍ଷର ଗଣେଶ ପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ଗଞ୍ଜାମ (ଭଞ୍ଜନଗର)୨୧/୦୮ : ଐତିହାସିକ ଭଞ୍ଜନଗର ସହରର ଅନ୍ୟତମ ପ୍ରସିଦ୍ଧ ତଥା ୫୦ ବର୍ଷର ସର୍ବପୁରାତନ ‘ପୁରୁଣା ବଜାର ସାହି ଗଣେଶ ପୂଜା କମିଟି’ ପକ୍ଷରୁ ଚଳିତ ବର୍ଷର ଗଣେଶ ପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଶୁକ୍ରବାର ସକାଳେ ପୂଜା କମିଟିର ସଦସ୍ୟ ଓ ସାହିବାସୀଙ୍କ ଉପସ୍ଥିତିରେ ନିର୍ଦ୍ଧାରିତ ଶୁଭମୁହୂର୍ତ୍ତରେ ମନ୍ତ୍ରୋଚାରଣ, ହୋମ-ଯଜ୍ଞ ଓ ସଂକୀର୍ତ୍ତନ ସହ ଶୁଭସ୍ତମ୍ଭ (ଖୁଣ୍ଟି) ସ୍ଥାପନା କରାଯାଇଛି। ଶ୍ରୀ ଶ୍ରୀ ବିଘ୍ନବିନାଶକ ଶ୍ରୀଗଣେଶଙ୍କ କୃପାରୁ ଚଳିତ ବର୍ଷର ପୂଜା ଉତ୍ସବ ସୁଚାରୁ ରୂପେ ସମ୍ପାଦିତ ହେବ ବୋଲି ଆଶାପ୍ରକାଶ କରାଯାଇଛି। ସୁବର୍ଣ୍ଣ ଜୟନ୍ତୀ ବର୍ଷର ଚଳିତ ବର୍ଷ ପୂଜା କମିଟି ପାଳନ କରୁଛି ତା’ର ଗୌରବମୟ ୫୦ ବର୍ଷ (ସୁବର୍ଣ୍ଣ ଜୟନ୍ତୀ)। ଏହି ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ କମିଟି ପକ୍ଷରୁ ବ୍ୟାପକ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ କରାଯିବl ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ଭକ୍ତ ମାନଙ୍କ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ।ଏହି ଶୁଭସ୍ତମ୍ଭ ସ୍ଥାପନ ଉତ୍ସବରେ ପୂଜା କମିଟିର ସଭାପତି, ସମ୍ପାଦକଙ୍କ ସମେତ କର୍ମକର୍ତ୍ତା, ବରିଷ୍ଠ ନାଗରିକ, ଯୁବକ ସଂଘ ଓ ସାହିର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ୫୦ ବର୍ଷ ପୂର୍ତ୍ତି ଅବସରରେ ଭଞ୍ଜନଗରବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ ଆନନ୍ଦର ଲହରୀ ଖେଳିଯାଇଛି।



