ରାସ୍ତା ଦୁର୍ଘଟଣାରେ ଜୀବନ ଗଲା: ସୋରଡ଼ା କଣ୍ଟାପୀଡ଼ା ଯାତ୍ରା ଦେଖି ଫେରୁଥିବା ବେଳେ ବୁଲେଟ୍ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ଜଣେ ଗୁରୁତର

ଭଞ୍ଜନଗର/ସୋରଡ଼ା୦୩/୧୦:ଗତ କାଲି ସୋରଡ଼ାର ପ୍ରସିଦ୍ଧ କଣ୍ଟାପୀଡ଼ା ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏଥିରେ ଜଣେ ୧୮ ବର୍ଷୀୟ ଯୁବକଙ୍କର ଅକାଳ ବିୟୋଗ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ତୁଳସୀପଲ୍ଲୀ ଗ୍ରାମର ଦେବେନ୍ଦ୍ର ମାଲିକଙ୍କ ସାନ ପୁଅ ରାକେଶ ମାଲିକ (୧୮) ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ, ତୁଳସୀପଲ୍ଲୀ ଗ୍ରାମର ୬ ଜଣ ସାଙ୍ଗ ମିଶି ଦୁଇଟି ବାଇକ୍ ଓ ବୁଲେଟ୍ରେ ସୋରଡ଼ା କଣ୍ଟାପୀଡ଼ା ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ସାରି ଘରକୁ ଫେରୁଥିବା ବେଳେ ବୁଲେଟ୍ରେ ଆଗରେ ବଡ଼ ଭାଇ ଦୀନେଶ ମାଲିକ ଓ ପଛରେ ସାନ ଭାଇ ରାକେଶ ମାଲିକ ଆସୁଥିଲେ। ତେବେ ରାସ୍ତାରେ ହଠାତ୍ କିଛି ଭାବିବା ଆଗରୁ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଦୁଇ ଭାଇ ଗୁରୁତର ଆହତ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଓ ସାଙ୍ଗମାନଙ୍କ ସହାୟତାରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅନ୍ୟ ଭାଇ ଦୀନେଶଙ୍କ ଚିକିତ୍ସା ଜାରି ରହିଛି। ଏହି ଦୁଃଖଦ ଘଟଣା ପରେ ତୁଳସୀପଲ୍ଲୀ ଗ୍ରାମରେ ଗଭୀର ଶୋକର ଛାୟା ଖେଳିଯାଇଛି।



